Unknown

 

 

 

 

 

 

 

 

 

 

 

ମାନସପୁରୀର ଭୂତ

(ଷଷ୍ଠ ଖଣ୍ଡ)

ଗୁଇନ୍ଦା ସାହେବ୍‌

 

-ଏକ-

 

ରାତି ବାରଟା.......

 

ଧାରା ଶ୍ରାବଣର ଉଠାଣିଆ ମେଘ ଅସରା ହୋଇ ଅଜାଡ଼ି ପଡ଼ୁଛି; ରାସ୍ତା ଉପରେ ଆଣ୍ଠୁଏ ପାଣି । ମେଘ ସାଙ୍ଗକୁ ବେଳେ ବେଳେ ଦମକାଏ କାଲୁଆ ପବନ ଆହୁରି ବ୍ୟସ୍ତକରି ପକାଉଛି ଲୋକକୁ । ସଞ୍ଜ ପହରୁ କିଏ କୁଆଡ଼େ ଖାଇ ପିଇ ଘରେ କବାଟ କିଳି ରହିଲେଣି । ଏଡ଼େ ବଡ଼ ସହରଟା; ରାତି ବାରଟା ହେଲେ ବି ଗହଳି ଭାଙ୍ଗି ନଥାଏ । କିନ୍ତୁ ଆଜି; ପ୍ରାୟ ଆଠଟା ବେଳୁ ସବୁ ଶୂନଶାନ୍‌ ହୋଇ ଗଲାଣି । ବୁଲା କୁତିଟିଏ ବି ଦେଖାନାହିଁ ରାସ୍ତା ଉପରେ । ଖାଲି ରାସ୍ତା କଡ଼ର ବିଜୁଳି ବତୀଗୁଡ଼ା ବର୍ଷା ମାଡ଼ ଖାଇ ମିଞ୍ଜି ମିଞ୍ଜି ହୋଇ ଦିଶୁଥାଏ ଯାହା । ଭୀଷଣ ବର୍ଷା ସାଙ୍ଗକୁ ରାସ୍ତାଘାଟ ଜନ ଶୂନ୍ୟ । କିମିତି ଗୋଟିଏ ଭୟାବହତା ଭରି ରହିଥିଲା ସହରର ଆବାହାଓ୍ୟାରେ ।

 

ଠିକ୍‌ ଏତିକି ବେଳେ ପ୍ରଧାନ ରାସ୍ତାର ବାଁ ପାଖ ମୋଡ଼ରୁ ଗୋଟିଏ କାର୍‌ର ହେଡ଼୍‌ ଲାଇଟ୍‌ ଦେଖାଗଲା । ତୀବ୍ର ବେଗରେ ଛୁଟିଥିଲା କାର୍‌ଟା । ଆରୋହୀ ମାତ୍ର ଜଣେ । ଆରୋହୀ ଓ ଚାଳକର ବ୍ୟସ୍ତତାରୁ ଜଣା ପଡ଼ୁଥିଲା, ଯେପରି ଭୟରେ ବଡ଼ ତ୍ରସ୍ତ ହୋଇ ପଡ଼ିଛନ୍ତି ସେ । ନିଜର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଦ୍ୱାରା ସେ ଯେପରି ଶୀଘ୍ର ଅପସରି ଯିବାକୁ ଚାହାନ୍ତି ।

 

କାର୍‌ଟା ଅନ୍ତତଃ ଦୁଇଶହ ଗଜ ଅତିକ୍ରମ କରିଛି କି ନାହିଁ, ପଛରୁ ଆଉ ଗୋଟିଏ କାର୍‌ର ଲାଇଟ୍‌ ଦେଖାଗଲା । ଆଗର କାର୍‌ ଅପେକ୍ଷା ପଛ କାର୍‌ର ଗତି ଥିଲା ଢେର ବେଶୀ । ଚାହୁଁ ଚାହୁଁ ହୁ’କରି ସ୍ପିଡ଼୍‌ ବଢ଼ିଗଲା ଆଗ କାର୍‌ଟିର । କେଇଟି ମୁହୂର୍ତ୍ତ ମଧ୍ୟରେ ପଛ କାର୍‌ ଠାରୁ ଦୂରତ୍ୱ କ୍ରମେ ବଢ଼ିବାରେ ଲାଗିଲା ।

 

ପଛ କାର୍‌ଟା ଚାହୁଁ ଚାହୁଁ ଉଲ୍‌କା ପରି ଛୁଟି ଯାଇ ପୁଣି ତା’ର ପିଛା ଧରିନେଲା । ଏ କାର୍‌ଟାରେ କେତେ ଜଣ ଆରୋହୀ ଥିଲେ ତାହା ଯଦିଓ ସଠିକ୍‌ କହି ନହେବ, ତେବେ ଦୁଇଜଣରୁ ଅଧିକ ଥିଲେ ନିଶ୍ଚୟ ।

 

ଦୁଇଟି ଯାକ କାର୍‌ ଖୁବ୍‌ ପାଖାପାଖି ବ୍ୟବଧାନ ରଖି ଉଲ୍‌କା ପରି ଛୁଟି ଚାଲିଥାଏ । ଚକର ଘୂର୍ଣ୍ଣନରେ ବର୍ଷାର ସ୍ରୋତ ପିଚିକି ପଡ଼ୁଥାଏ ରାସ୍ତାର ଦୁଇ ଧାରକୁ । ରାସ୍ତା ନିର୍ଜନ; ଉପରେ ଅସରା ଅସରା ବର୍ଷା ଅଜାଡ଼ି ହୋଇ ପଡ଼ୁଛି ।

 

ଠିକ୍‌ ରାସ୍ତାର ଆରପଟ ମୋଡ଼ଟା । ସେଇଠୁ କେତେଟା ଗଳି ରାସ୍ତାର ଆରମ୍ଭ । ପୃଷ୍ଠର ଅସମାନତା ହେତୁ ରାସ୍ତା ଉପରେ ବହୁତ ପାଣି ଜମି ରହିଛି । ଆଗ କାର୍‌ଟା ସେଇଠି ପହଞ୍ଚିଲା ମାତ୍ରେ ତା’ର ଗତି ଟିକିଏ ମନ୍ଥର ହୋଇଗଲା । ପଛ କାର୍‌ଟା ଏହି ସୁଯୋଗ ଅପେକ୍ଷା କରୁଥିଲା ଯେମିତି । ଏଇ କେଇଟି ମୁହୂର୍ତ୍ତର ସୁବିଧା ପାଇ ସେ ଘୁଁ କରି ବୁଲିଗଲା ଆଗ କାର୍‌ର ସାମ୍ନାରେ ।

 

ଆଗରେ ଆସୁଥିବା କାର୍‌ର ଆଉ ଆଗେଇବାର ଉପାୟ ନାହିଁ । ଅଗତ୍ୟା ଆରୋହୀ ଜଣଙ୍କ ଖପ୍‌ କରି ଓହ୍ଲାଇ ପଡ଼ିଲେ ତଳକୁ । ଉପରେ ମୂଷଳ ଧାରାରେ ବର୍ଷା, ତଳେ ପାଣିସୁଅ ବଳାଗଣ୍ଠି ଯାଏ ଲାଗି ଯାଉଛି, ସେଥିକୁ ଖାତର ନାହିଁ ତାଙ୍କର । ଦେହରେ ସାହେବୀ ପୋଷାକ, ଦାମୀକୋଟ୍‌ । ଅଚାନକ ବିପଦରୁ ରକ୍ଷା ପାଇବା ପାଇଁ ସେ ବ୍ୟାକୁଳ ।

 

ତଳକୁ ଓହ୍ଳାଇ ପଡ଼ିଲା ମାତ୍ରେ ବିଜୁଳି ପରି ପକେଟରୁ ରିଭଲଭର୍‌ ବାହାର କରି ସାମ୍ନାକୁ ବାଗେଇ ଧରିଲେ । ସଙ୍ଗେ ସଙ୍ଗେ ଦୁଇଥର ଗୁରୁଗର୍ଜନ କରି ଆଗ୍ନେୟାସ୍ତ୍ର ଖଣ୍ଡି ଦୁଇଥର ଅଗ୍ନି ଉଦ୍‌ଗିରଣ କରି ପକାଇଲା ମଧ୍ୟ ।

 

ଆଗର କାର୍‌ରୁ ବି ତା’ର ଉତ୍ତରରେ କେତେଥର ରିଭଲଭର୍‌ର ଗର୍ଜନ ଭାସି ଆସିଲା । ତା’ ସଙ୍ଗେ ସଙ୍ଗେ ଗୋଟାଏ ବିକଟ ହସ । ତଳେ ଠିଆ ହୋଇଥିବା ସାହେବ ପୋଷାକଧାରୀ ଯୁବକ ଆଉ ଥରେ ଫାୟାର କରିବାକୁ ଉଦ୍ୟତ ହେଉଛନ୍ତି—ଠିକ୍‌ ସେଇ ମୁହୂର୍ତ୍ତରେ ‘ଗୁଡ଼ୁମ୍‌’ କରି ଶବ୍ଦ ହେବା ସଙ୍ଗେ ସଙ୍ଗେ ରାସ୍ତାକଡ଼ ଖୁଣ୍ଟରେ ଥିବା ଇଲେକ୍‌ଟ୍ରିକ୍‌ ବଲ୍‌ବ ଚୂର୍ଣ୍ଣ ହେଲା । ରାସ୍ତା ଅନ୍ଧକାର । ତା’ ସଙ୍ଗେ ସଙ୍ଗେ ଭାସି ଆସିଲା ଗୋଟାଏ କରୁଣ ଚିତ୍କାର, ଆଉ କ’ଣ ଗୋଟାଏ ଝପାସ୍‍ କରି ପଡ଼ିବାର ଶବ୍ଦ । ଟିକକ ପରେ ମସିଆ ମସିଆ ଟର୍ଚ୍ଚ ଆଲୋକରେ କେତେଜଣ କଳା ପୋଷାକଧାରୀ ଲୋକ କ’ଣ ଖୋଜାଖୋଜି କରିବାରେ ଲାଗିଗଲେ ପୂର୍ବ କାର୍‌ରୁ ଓହ୍ଲାଇ । ପ୍ରାୟ ମିନିଟକ ପରେ ପଛ କାର୍‌ଟା ଷ୍ଟାର୍ଟ ହେବାର ଶବ୍ଦ ଶୁଣାଗଲା । ସେଇ ଘନ ଅନ୍ଧାର ଭିତରେ ଗୋଟିଏ ଗଳି ରାସ୍ତାରେ ସେ ଅଦୃଶ୍ୟ ହୋଇଗଲା କେଉଁଆଡ଼େ । ରାସ୍ତାମଝିରେ ପଡ଼ିରହିଲା ଆଗରେ ଆସୁଥିବା ଦାମୀକା କାର୍‌ଖଣ୍ଡି ।

 

ବର୍ଷା ଅସରା ଅସରା ହୋଇ ଅଜାଡ଼ି ପଡ଼ୁଥିଲା, ନିର୍ଜନ ମହାନଗରୀର ସୁପ୍ତ ଦେହ ଉପରେ ।

 

X X X

 

ମାନସପୁରୀ..........

 

ବିଶାଳ ପ୍ରାସାଦୋପମ ଅଟ୍ଟାଳିକା । ଗାଢ଼ ଅନ୍ଧାରର ଆସ୍ତରଣ ଯେପରି ଶହେ ପ୍ରସ୍ତ କରି ଘେରି ରହିଛି ଅଟ୍ଟାଳିକାକୁ । ଘମାଘୋଟ ଅନ୍ଧକାର ଭିତରେ ସତ୍ତା ହରାଇଛି ପ୍ରକାଣ୍ଡ ଅଟ୍ଟାଳିକାଟି । ଘୋର ବର୍ଷା ଅଜାଡ଼ି ହୋଇ ପଡ଼ୁଛି ତା’ର ଉପରେ । ସଦର ଫାଟକଟା ଖୋଲା ଅଛି-

 

ଅଟ୍ଟାଳିକାର ସମସ୍ତ କୋଠରୀ ଅନ୍ଧାର । କେବଳ ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠରେ କ’ଣ ଗୋଟିଏ ବହି ପଢ଼ୁଛନ୍ତି ମିସେସ୍‌ ପାତ୍ର । ମିସେସ୍‌ ପାତ୍ରଙ୍କ ବୟସ ବେଶୀ ନୁହେଁ । ପଚିଶି, ଛବିଶି ଯାଏ ହେବ । ଦେଖିବାକୁ ସୁ-ଶ୍ରୀସମ୍ପନ୍ନା । ଦେହ, ଗୋରା, ପାତଳା । ମସ୍ତକର କୁଞ୍ଚିତ କେଶର କେଇଟି ଗୁଚ୍ଛ କାନ ମୂଳରେ ଝୁଲିପଡ଼ି ମୁଖ ଶୋଭାକୁ ଦୁଇଗୁଣ ବଢ଼ାଇ ଦେଉଛି ।

 

ବାହାରେ ଅବିରାମ ବର୍ଷା । କାଚ ଝରକା ଦେଇ ବାହାରକୁ ଚାହିଁଲେ ମିସେସ୍‌ ପାତ୍ର । କିଛି ଦିଶୁନାହିଁ; ଖାଲି ବହୁଦୂରରେ କେତୋଟି ଆଲୋକ ଖୁଣ୍ଟି ମିଞ୍ଜି ମିଞ୍ଜି ହୋଇ ଦିଶି ଯାଉଛି । କ’ଣ ଭାବି ଝରକା ଆଡ଼ୁ ମୁହଁ ଫେରାଇ ଆଣି ବସିଲେ ସେ । ମନରେ ତାଙ୍କର ଗୋଟିଏ ଚିନ୍ତା–‘‘ମିଷ୍ଟର ପାତ୍ର ଏତେବେଳ ଯାଏ ଗଲେ କୁଆଡ଼େ ?’’

 

ମି: ପାତ୍ର ସହରର ଧନାଢ଼୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ । ପୁରୁଷାନୁକ୍ରମରେ ସେ ମଣିମାଣିକ୍ୟର ବ୍ୟବସାୟ କରନ୍ତି । କୋଟି କୋଟି ଟଙ୍କାର କାରବାର । କାରଖାନାରେ ଅନ୍ତତଃ ଶହେରୁ ଅଧିକ କାରୀଗର କାମ କରନ୍ତି । ମୋଟା ମୋଟି ହିସାବ ନେଇ ଦେଖିଲେ ଅନୁମାନ କରିହୁଏ, ମି: ପାତ୍ର କୋଟିପତି । ତା’ଛଡ଼ା ବହୁ ମୂଲ୍ୟବାନ ହୀରା ଓ ଜହରତ୍‌ର ଅଧିକାରୀ ମଧ୍ୟ ।

 

ମି: ପାତ୍ର ନିତି କାରଖାନାର କାର୍ଯ୍ୟ ପରିଦର୍ଶନ କରିବାକୁ ଯାଆନ୍ତି । ଅବଶ୍ୟ ରାତି ଆଠଟା କିମ୍ବା ନଅଟା ବେଳକୁ ଫେରି ଆସନ୍ତି । ଆଜି ଏତେ ରାତି ହେଲାଣି, କିନ୍ତୁ କାହିଁ ସେ ତ ଫେରୁ ନାହାନ୍ତି ? ଏଥିପାଇଁ ମିସେସ୍‌ ପାତ୍ର ଚିନ୍ତିତା । ପ୍ରାସାଦରେ ଚାକର ପୁଝାରୀ ଯେ ଯୁଆଡ଼େ ଶୋଇ ପଡ଼ିଥିଲେ ବି ମିସେସ୍‌ ପାତ୍ର ତାଙ୍କର ବାଟ ଚାହିଁ ବସିଛନ୍ତି ।

 

‘‘ଠନ୍‌ କାନ୍ଥ ଘଡ଼ିରେ ଗୋଟାଏ ବାଜିଲା । ଘଡ଼ି ଆଡ଼କୁ ଥରେ ଚାହିଁ ଦେଇ ବଡ଼ ଅସହିଷ୍ଣୁ ହୋଇ ପଡ଼ିଲେ ସେ । ଚୌକୀ ଉପରେ ଅଳସ ଭାଙ୍ଗି ଟେବୁଲ ଉପରୁ ଫୋନ୍‌ ଉଠାଇ ଧରିଲେ, ତାଙ୍କ ଜୁଏଲାରୀ କାରଖାନାକୁ—‘‘ହ୍ୟାଲୋ... !’’

 

‘‘....ହଁ, ମୁଁ ମ୍ୟାନେଜର ।’’

 

‘‘....ମି: ପାତ୍ର !’’

 

‘‘ଆଶ୍ଚର୍ଯ୍ୟ ! ସେ ତ ସାଢ଼େ ଦଶଟା ବେଳୁ ଗଲେଣି ।’’

 

‘‘ତେବେ ? .....ଆଉ କୁଆଡ଼େ ଯିବାର ଥିଲା କି ?’’

 

‘ନା, ମୁଁ କହି ପାରିବିନି ସେକଥା ।’’

 

‘‘ଆଚ୍ଛା !’’

 

ଚିନ୍ତିତ ହୋଇ ଫୋନ୍‌ଟାକୁ ଥର ଥର ହାତରେ ରଖି ଦେଲେ ମିସେସ୍‌ ପାତ୍ର ।

 

ବାହାରେ ବର୍ଷା ତୋଫାନର ବେଗଠାରୁ ତାଙ୍କ ଚିନ୍ତାର ଝଡ଼ ଆହୁରି ବେଶୀ । ‘‘ମି: ପାତ୍ର କାରଖାନାରେ ନାହାନ୍ତି ? ତେବେ ଗଲେ କୁଆଡ଼େ ? ଯେତେ ଯାହା ହେଲେ ବି ଫେରି ଆସିବାର କଥା । ସାଙ୍ଗରେ ପୁଣି କାର୍‌ ଥିଲା ! କୌଣସି ବନ୍ଧୁ ଘରେ ରହିବାର ହୋଇଥିଲେ ଖବର ଦେଇଥାନ୍ତେ ନିଶ୍ଚୟ । ଆଉ କ’ଣ କିଛି... ?’ .....ଆଶଙ୍କାରେ ଛାଇ ହୋଇଗଲା ମନ ତାଙ୍କର । ସେ ଚିନ୍ତା କରି ପାରିଲେ ନାହିଁ କିଛି । ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ । ବାହାରେ ଖୁବ୍‌ ଥଣ୍ଡା ପବନ ପିଟୁଥିଲେ ବି କପାଳ ଉପରେ ତାଙ୍କର ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠିଥିଲା ପରିଷ୍କାର ।

 

ପ୍ରାୟ ଦୁଇମିନିଟ୍‌ ଯାଏ ନୀରବରେ ବସି ରହିଲା ପରେ କ’ଣ ଭାବି ପୁଣି ଥରେ ଫୋନ ଉଠାଇଲେ ମିସେସ୍‌ ପାତ୍ର.....

 

‘‘......ହ୍ୟାଲୋ । ପୋଲିସ୍‌ ହେଡ଼୍‌ କ୍ୱାଟର୍ସ....’’

 

ନିର୍ଜୀବ ବିଦ୍ୟୁତ୍‌ବାହୀ ତନ୍ତ୍ରୀ ବହୁଦୂରରୁ ଉତ୍ତର ବହି ଆଣୁଥିଲା ।

 

‘‘ହଁ, ମୁଁ, ମି: ପଟ୍ଟନାୟକ; ଇନ୍‌ଚାର୍ଯ ଅଫିସର । ଆପଣ ?’’

 

‘‘ମୁଁ ମାନସପୁରୀରୁ କହୁଛି....’’

 

‘‘ଓଃ, ହଁ, ଖବର କ’ଣ ତେବେ... ?’’

 

‘‘ଶୁଣନ୍ତୁ....ମି: ପାତ୍ର—ଓ: ଆର: କି: ୩୭୬ ନମ୍ବର କାର୍‌ ସହିତ ସେ ଏଯାଏ ଫେରିନାହାନ୍ତି, ଯଦିଓ କାରଖାନାରୁ ରାତି ନଅଟାରୁ ଫେରିଲେଣି । ତାଙ୍କର ଖବର ଯଦି....’’

 

‘‘.....ନିଶ୍ଚୟ, ନିଶ୍ଚୟ ! ମୁଁ ଦେଖୁଛି; ଆପଣ ନିଶ୍ଚିନ୍ତ ରହନ୍ତୁ.... ।’’

 

‘‘ଅଶେଷ ଧନ୍ୟବାଦ...’’ କହି ରିସିଭର୍‌ ରଖି ଦେଲେ ମିସେସ୍‌ ପାତ୍ର ।

 

କାଳେ ରାତିରେ କିଛି ଖବର ଆସିପାରେ ବା ମି: ପାତ୍ର ଆସି ପାରନ୍ତି, ଏଇ ଆଶାରେ ସେ ଅବଶିଷ୍ଟ ସମୟତକ ସେଇଠାରେ ହିଁ ଅପେକ୍ଷା କରି କଟାଇବାକୁ ସ୍ଥିର କରି ଗୋଟିଏ ସୋଫା ଉପରକୁ ଆଉଜି ପଡ଼ିଲେ । ପ୍ରାୟ କେଇଟି ମିନିଟ ମଧ୍ୟରେ ନିଦ୍ରା ଦେବୀଙ୍କର କୋମଳ କର ସ୍ପର୍ଶରେ ସେ ଅଭିଭୂତ ହୋଇ ପଡ଼ିଲେ ।

 

ବାହାରେ ଶ୍ରାବଣର ଅସରନ୍ତି ଧାରା ଅଜାଡ଼ି ହେଉଥିଲା ଅବିଶ୍ରାନ୍ତ ଗତିରେ ।

Image

 

-ଦୁଇ-

 

ଗତ ରାତିର ପ୍ରବଳ ବର୍ଷା ତୋଫାନ ଶେଷ ହୋଇଥିଲା ସକାଳକୁ । ମିସେସ୍‌ ପାତ୍ରଙ୍କ ନିଦ ଭାଙ୍ଗିଲା ବେଳକୁ ସାତଟା ବାଜି ଯାଇଥିଲା । ଗଲା ରାତିର ଘଟଣା ସବୁ ମନେପଡ଼ି ତାଙ୍କ ମନ ପୁଣି ବିଷାଦଭରା ହୋଇଉଠିଲା । ମି: ପାତ୍ର ଯେ କାଲି ରାତିରେ ଫେରି ନାହାନ୍ତି—ଏଟା, ଠିକ୍‌, କାରଣ ଫେରି ଥିଲେ ତାଙ୍କୁ ନିଶ୍ଚୟ ଉଠାଇଥାନ୍ତେ ।

 

ସେ ଡ୍ରଇଂ ରୁମ୍‌ ବାହାରକୁ ଆସିଲେ । ବାରଣ୍ଡାର ଗୋଟିଏ ପାଖରେ ଦର୍‌ଓ୍ୱାନ୍‌ ରାମଶରଣ ଟୁଲ୍‌ ଉପରେ ବସି ପିକା ମୋଡ଼ିବାରେ ବ୍ୟସ୍ତ । ତା’ ଠାରୁ କିଛି ଖବରର ଆଶା କରିବା ବୃଥା ବୋଲି ଭାବି ପୁଣି ସେ ଡ୍ରଇଂରୁମ୍‌ ଯାଇ ଫୋନ୍‌ ଧରିଲେ, ପୋଲିସ୍‌ ହେଡ଼୍‌କ୍ୱାଟର୍ସକୁ ।

 

ସେଠାରୁ ଯାହା ଉତ୍ତର ମିଳିଲା ତାହା ଶୁଣି ତାଙ୍କର ପାଦ ଆଉ ଚଳିଲା ନାହିଁ । ‘‘ଶୂନ୍ୟ କାର୍‌ଟା ମିଳିଛି, କିନ୍ତୁ ଆରୋହୀ ନିରୁଦ୍ଦେଶ ! କ’ଣ ହେଲା ତେବେ ?’’ ଚିନ୍ତାର ଗୁରୁଚାପ ତାଙ୍କର ମସ୍ତିଷ୍କକୁ ପୂରାପୂରି କାବୁ କରି ଦେଇଥିଲା । ସେ ପାଗଳାମୀଙ୍କ ପରି ଧାଇଁଲେ ପୋଲିସ୍‌ ଷ୍ଟେସନକୁ-

 

ପୋଲିସ୍‌ ଷ୍ଟେସନରେ ମଧ୍ୟ ଏହି ବିଷୟ ନେଇ କମ ହୈଚୈ ପଡ଼ି ନ ଥାଏ । ପୋଲିସ୍‌ ଏସ୍‌.ଆଇ. ଯତୀନ ବାବୁ, ଇନଚାର୍ଯ ଅଫିସର୍‌ ମି: ପଟ୍ଟନାୟକ, ଏ. ଏସ୍‌. ଆଇ. ମି: ସିହ୍ନା ପ୍ରଭୃତିଙ୍କର ଆଜିର ପ୍ରଧାନ ଆଲୋଚନାର ବିଷୟ ଥିଲା ଏଇ ଘଟଣାଟି । ରାତିକ ଭିତରେ କ’ଣ ଏପରି କାଣ୍ଡଟାଏ ଘଟିଗଲା—ସେଇଟାହିଁ ଥିଲା ସମସ୍ତଙ୍କର ବିସ୍ମୟର କାରଣ । ପୋଲିସ୍‌ ଅଫିସରମାନେ ନାନା ବାଦାନୁବାଦ, ଯୁକ୍ତି, ଆଲୋଚନା ସତ୍ତ୍ୱେ ବି ଏହାର କାରଣ କିଛି ସ୍ଥିର କରିପାରୁ ନଥାନ୍ତି ।

 

ଠିକ୍‌ ଏତିକିବେଳେ ମିସେସ୍‌ ପାତ୍ର ସେ କୋଠାରୀ ଭିତରକୁ ଯିବା ପାଇଁ ଦ୍ୱାର ପାଖରେ ଅନୁମତି ପ୍ରାର୍ଥିନୀ ହୋଇ ଛିଡ଼ା ହେଲେ । ମି: ପଟ୍ଟନାୟକ ତାଙ୍କୁ ସସମ୍ମାନରେ ଭିତରକୁ ପାଛୋଟି ନେଇ ଆସନ ଦେଖାଇ ଦେଲେ । ମିସେସ୍‌ ପାତ୍ର ବସୁ ବସୁ କହିଲେ—‘‘ମୁଁ ବଡ଼ ବିପଦରେ ଆଜ୍ଞା-! ମୋତେ ଏଥିରୁ ଉଦ୍ଧାର ନ କଲେ ମୁଁ ଶେଷ ହୋଇଯିବି ।’’

 

‘‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମିସେସ୍‌ ପାତ୍ର ! ଘଟଣା ସେମିତି କିଛି ଗୁରୁତର ବୋଧ ହେଉନାହିଁ । ହୁଏତ ମିଷ୍ଟର ପାତ୍ର କୌଣସି ବନ୍ଧୁ ଘରେ ଥାଇ ପାରନ୍ତି ।’’ ଆଶ୍ୱାସନା ଦେଇ କହିଲେ ମି: ପଟ୍ଟନାୟକ । ‘‘ନା, ନା, ତା କେବେ ନୁହେଁ । ଯେତେ ଦରକାରୀ କାମ ଥିଲେ ବି ମି: ପାତ୍ର ଘରକୁ ଫେରିଥାନ୍ତେ ନିଶ୍ଚୟ । ନିହାତି ରହିବାର ହେଲେ ଖବର ଦେଇଥାନ୍ତେ ଅନ୍ତତଃ । ମୁଁ ଭାବୁଛି ତାଙ୍କୁ କିଛି ବିପଦରେ ପଡ଼ିବାକୁ ହୋଇଛି । ନହେଲେ କ’ଣ....’’ କଣ୍ଠ ବାସ୍ପରୁଦ୍ଧ ହୋଇଗଲା ମିସେସ୍‌ ପାତ୍ରଙ୍କର ।

 

‘‘ଦେଖନ୍ତୁ ! ସେ କଥା ଭାବି ଅଧୀର ହୋଇ ପଡ଼ିବାର ସମୟ ବର୍ତ୍ତମାନ ନୁହେଁ । ଧୈର୍ଯଧରି ଅପେକ୍ଷା କରିବାକୁ ହେବ । ଆପଣ ବର୍ତ୍ତମାନ ଆମର କେତୋଟି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଲେ ଭଲ ହୁଅନ୍ତା ।’’ କହିଲେ ମି: ପଟ୍ଟନାୟକ ।

 

‘‘କ’ଣ ପଚାରନ୍ତୁ !’’ ପଣତ କାନିରେ ଆଖିରୁ ଲୁହ ପୋଛୁ ପୋଛୁ କହିଲେ ମିସେସ୍‌ ପାତ୍ର ।

 

‘‘ଆଚ୍ଛା, କାଲି ମି: ପାତ୍ର କେତେବେଳେ କୁଆଡ଼େ ଯାଇଥିଲେ ଜାଣନ୍ତି କି ?’’

 

‘‘ହଁ, ସେ କାଲି ଆମ ଜୁଏଲାରୀ କାରଖାନାକୁ ସନ୍ଧ୍ୟା ପୂର୍ବରୁ ଯାଇଥିଲେ । ପ୍ରାୟ ପ୍ରତ୍ୟହ ଏମିତି ଯାଆନ୍ତି ।’’

 

‘‘ଫେରନ୍ତି କେତେବେଳେ ?’’

 

‘‘ରାତି ନଅଟା ସୁଦ୍ଧା ।’’

 

‘‘ଆଚ୍ଛା, ତାଙ୍କର କେହି ଶତ୍ରୁ ବା ବିବାଦୀୟ ଲୋକ ଥିବା ବିଷୟ ଆପଣାକୁ ଜଣା ଅଛିକି-?’’

 

‘‘ସେମିତି କେହି ବିବାଦୀ ବା ଶତ୍ରୁ ଥିବାର ମୋତେ ଜଣାନାହିଁ, ତେବେ ବ୍ୟବସାୟ କ୍ଷେତ୍ରରେ ଥାଇପାରନ୍ତି । ଆପଣମାନେ ତ ଜାଣନ୍ତି—ଆମ କାରଖାନା ‘ଶିଳ୍ପପୁରୀ’ର ତିଆରି ଜୁଏଲାରୀର ଚାହିଦା ବଜାରରେ ବେଶୀ । ସେ କାରଣରୁ ଅନ୍ୟ ବ୍ୟବସାୟୀମାନେ ପ୍ରାୟ ସବୁ ସମୟରେ ପ୍ରତିଯୋଗିତା କରି ଆସିଛନ୍ତି ।’’

 

‘‘ସେହିପରି ପ୍ରତିଯୋଗୀ କୌଣସି ବ୍ୟକ୍ତି-ବିଶେଷଙ୍କ ନାଁ ଆପଣ କହି ପାରିବେ ?’’

 

‘‘ନା, ତା ମୁଁ କହି ପାରିବି ନାହିଁ ।’’

 

‘‘ଆଚ୍ଛା, ମିସେସ୍‌ ପାତ୍ର ! ଶିଳ୍ପପୁରୀର ତତ୍ତ୍ୱାବଧାନ କ’ଣ ମି: ପାତ୍ର ଏକା କରନ୍ତି ?’’

 

‘‘ନାଁ, ମ୍ୟାନେଜର ଅବନୀବାବୁ ଅଛନ୍ତି ? ତା ଛଡ଼ା ବାବୁ ପ୍ରତିଦିନ କାରଖାନାକୁ ଯାଇ କାମ, ହିସାବପତ୍ର ଦେଖନ୍ତି ।’’

 

‘‘ଅବନୀ ? ଅବନୀକାନ୍ତ... !’’

 

‘‘ଅବନୀକାନ୍ତ ପଟ୍ଟନାୟକ, ଏସ୍‌. ଏସ୍‌.ସି; ବେଶ୍‌ ଭଦ୍ର ଲୋକ ।’’

 

‘‘ଆଚ୍ଛା, ଅଶେଷ ଧନ୍ୟବାଦ ! ବର୍ତ୍ତମାନ ଆପଣ ଯାଇ ପାରନ୍ତି । ଆବଶ୍ୟକ ହେଲେ ଆମେ ପୁଣି ଆପଣଙ୍କୁ ଭେଟିପାରୁ । ହଁ, ଆଉ ଗୋଟିଏ କଥା; ଆପଣ ମଧ୍ୟ ବନ୍ଧୁଘରମାନଙ୍କରେ ତାଙ୍କର ଟିକେ ଖୋଜ ନିଅନ୍ତୁ । ଯଦି ପାଆନ୍ତି, ତେବେ ଆମକୁ ଟିକେ ଜଣାଇବାକୁ ଯେପରି ନ ଭୁଲନ୍ତି ।’’

 

ମିସେସ୍‌ ପାତ୍ର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମି: ପଟ୍ଟନାୟକଙ୍କ ଶେଷ କଥା କେଇପଦ ତାଙ୍କ ମନରେ ପଡ଼ିଥିଲା କି ନାହିଁ ସେ ଜାଣନ୍ତି । ଚଟ୍‌କରି ‘ନମସ୍କାର’ ବୋଲି ହାତଦୁଇଟା ଉଠାଇ ଫେରି ଆସିଲେ ସେ ବାହାରକୁ ।

 

X X X

 

ଶିଳ୍ପପୁରୀ.......

 

ଏଇଟା ମି: ପାତ୍ରଙ୍କର ଜୁଏଲାରୀ କାରଖାନା । ସହର ବାହାରେ ଅବସ୍ଥିତ କାରଖାନାଟି-। କାରୀଗର, କିରାଣୀ, ଚପରାସୀ ସମସ୍ତଙ୍କୁ କିଛି ବିପଦରେ ପଡ଼ିବାକୁ ହୋଇଛି । ନହେଲେ କ’ଣ..’’କଣ୍ଠ ବାସ୍ପରୁଦ୍ଧ ହୋଇଗଲା ମିସେସ୍‌ ପାତ୍ରଙ୍କର ।

‘‘ଦେଖନ୍ତୁ ! ସେ କଥା ଭାବି ଅଧୀର ହୋଇ ପଡ଼ିବାର ସମୟ ବର୍ତ୍ତମାନ ନୁହେଁ । ଧୈର୍ଯ୍ୟଧରି ଅପେକ୍ଷା କରିବାକୁ ହେବ । ଆପଣ ବର୍ତ୍ତମାନ ଆମର କେତୋଟି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଲେ ଭଏ ହୁଅନ୍ତା ।’’ କହିଲେ ମି: ପଟ୍ଟନାୟକ ।

‘‘କଣ ପଚାରନ୍ତୁ !’’ ପଣତ କାନିରେ ଆଖିରୁ ଲୁହ ପୋଛୁ ପୋଛୁ କହିଲେ ମିସେସ୍‌ ପାତ୍ର ।

‘‘ଆଚ୍ଛା, କାଲି ମି: ପାତ୍ର କେତେବେଳେ କୁଆଡ଼େ ଯାଇଥିଲେ ଜାଣନ୍ତି କି ?’’

‘‘ହଁ, ସେ କାଲି ଆମ ଜୁଏଲାରୀ କାରଖାନାକୁ ସନ୍ଧ୍ୟା ପୂର୍ବରୁ ଯାଇଥିଲେ । ପ୍ରାୟ ପ୍ରତ୍ୟହ ଏମିତି ଯାଆନ୍ତି ।’’

‘‘ଫେରନ୍ତି କେତେବେଳେ ?’’

‘‘ରାତି ନଅଟା ସୁଦ୍ଧା ।’’

‘‘ଆଚ୍ଛା, ତାଙ୍କର କେହି ଶତ୍ରୁ ବା ବିବାଦୀୟ ଲୋକ ଥିବା ବିଷୟ ଆପଣଙ୍କୁ ଜଣା ଅଛିକି-?’’

‘‘ସେମିତି କେହି ବିବାଦୀ ବା ଶତ୍ରୁ ଥିବାର ମୋତେ ଜଣାନାହିଁ, ତେବେ ବ୍ୟବସାୟୀ କ୍ଷେତ୍ରରେ ଥାଇପାରନ୍ତି । ଆପଣମାନେ ତ ଜାଣନ୍ତି—ଆମ କାରଖାନା ‘ଶିଳ୍ପପୁରୀ’ର ତିଆରି ଜୁଏଲାରୀର ଚାହିଦା ବଜାରରେ ବେଶୀ । ସେ କାରଣରୁ ଅନ୍ୟ ବ୍ୟବସାୟୀମାନେ ପ୍ରାୟ ସବୁ ସମୟରେ ପ୍ରତିଯୋଗିତା କରି ଆସିଛନ୍ତି ।’’

 

‘‘ସେହିପରି ପ୍ରତିଯୋଗିତା କୌଣସି ବ୍ୟକ୍ତି-ବିଶେଷଙ୍କ ନାଁ ଆପଣ କହି ପାରିବେ ?’’

 

‘‘ନାଁ, ତା ମୁଁ କହି ପାରିବି ନାହିଁ ।’’

 

‘‘ଆଚ୍ଛା, ମିସେସ୍‌ ପାତ୍ର ! ଶିଳ୍ପପୁରୀର ତତ୍ତ୍ୱାବଧାନ କ’ଣ ମି: ପାତ୍ର ଏକା କରନ୍ତି ?’’

 

‘‘ନା, ମ୍ୟାନେଜର ଅବନୀବାବୁ ଅଛନ୍ତି ? ତା ଛଡ଼ା ବାବୁ ପ୍ରତିଦିନ କାରଖାନାକୁ ଯାଇ କାମ, ହିସାବପତ୍ର ଦେଖନ୍ତି ।’’

 

‘‘ଅବନୀ ? ଅବନୀକାନ୍ତ..... !’’

 

‘‘ଅବନୀକାନ୍ତ ପଟ୍ଟନାୟକ, ଏମ୍‌. ଏସ୍‌. ସି. ; ବେଶ୍‌ ଭଦ୍ରଲୋକ ।’’

 

‘‘ଆଚ୍ଛା, ଅଶେଷ ଧନ୍ୟବାଦ ! ବର୍ତ୍ତମାନ ଆପଣ ଯାଇ ପାରନ୍ତି । ଆବଶ୍ୟକ ହେଲେ ଆମେ ପୁଣି ଆପଣଙ୍କୁ ଭେଟିପାରୁ । ହଁ, ଆଉ ଗୋଟିଏ କଥା; ଆପଣ ମଧ୍ୟ ବନ୍ଧୁଘରମାନଙ୍କରେ ତାଙ୍କର ଟିକେ ଖୋଜି ନିଅନ୍ତୁ । ଯଦି ପାଆନ୍ତି, ତେବେ ଆମକୁ ଟିକେ ଜଣାଇବାକୁ ଯେପରି ନ ଭୁଲନ୍ତି ।’’

 

ମିସେସ୍‌ ପାତ୍ର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମି: ପଟ୍ଟନାୟକଙ୍କ ଶେଷ କଥା କେଇପଦ ତାଙ୍କ ମନରେ ପଡ଼ିଥିଲା କି ନାହିଁ ସେ ଜାଣନ୍ତି । ଚଟ୍‌କରି ‘ନମସ୍କାର’ ବୋଲି ହାତଦୁଇଟା ଉଠାଇ ଫେରି ଆସିଲେ ସେ ବାହାରକୁ ।

 

X X X

 

ଶିଳ୍ପପୁରୀ......

 

ଏଇଟା ମି: ପାତ୍ରଙ୍କର ଜୁଏଲାରୀ କାରଖାନା । ସହର ବାହାରେ ଅବସ୍ଥିତ କାରଖାନାଟି-। କାରୀଗର, କିରାଣୀ, ଚପରାସୀ ସମସ୍ତଙ୍କୁ ମିଶାଇ ଲୋକ ଦୁଇଶହ ଯାଏ କାମ କରନ୍ତି ଏଠି । ଖାଲି ସୁନାର ଅଳଙ୍କାର ଛଡ଼ା ଅନେକ ଦାମୀ ଜହରବତ୍‌ର କାମ ମଧ୍ୟ ଏଇଠି କରାହୁଏ । ମି: ପାତ୍ର ଜଣେ ଭଲ ଜହୁରୀ । ପିତୃପିତାମହ ତାଙ୍କର ଏଇ ବ୍ୟବସାୟ କରି ସୁନାମ କିଣିଛନ୍ତି । ମି: ପାତ୍ର ମଧ୍ୟ ସେ ସୁନାମ ବଜାୟ ରଖି ପାରିଛନ୍ତି । ବଡ଼ ବଡ଼ ରାଜା ଜମିଦାରମାନଙ୍କ ନିକଟରେ ମି: ପାତ୍ର ଭଲଭାବରେ ପରିଚିତ । ସେଇମାନଙ୍କ ଅନୁଗ୍ରହରୁ ସେ ଏତେବଡ଼ ଅନୁଷ୍ଠାନ ଖୋଲି ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବାରେ ସମର୍ଥ ହୋଇଛନ୍ତି କହିଲେ ଚଳେ ।

 

ମି: ପଟ୍ଟନାୟକ ଶିଳ୍ପପୁରୀରେ ପହଞ୍ଚିଲା ବେଳକୁ ବେଳ ପ୍ରାୟ ଏଗାରଟା । କାରଖାନାରେ କାମ ପୂରା ଦମ୍‌ରେ ଚାଲିଛି । ମି: ପାତ୍ରଙ୍କ ଆକସ୍ମିକ ଅନ୍ତର୍ଦ୍ଧାନରେ ସମ୍ବାଦ ଅବନୀବାବୁଙ୍କୁ ଯେ ଅଜ୍ଞାତ ଥିବ, ତା ନୁହେଁ, ତା ସତ୍ତ୍ୱେ ବି ସାଧାରଣ ଦିନପରି କାମ ଚାଲିଥିବାର ଦେଖି ସେ ବଡ଼ ବିସ୍ମିତ ହୋଇ ପଡ଼ିଲେ ।

 

ଶିଳ୍ପପୁରୀର ପ୍ରଧାନ ପ୍ରବେଶ ପଥରେ ଦରଓ୍ୱାନ୍‌ ହାତରେ କାର୍ଡ଼ ଖଣ୍ଡି ପଠାଇ ଦେଇ ଟିକିଏ ଅପେକ୍ଷା କରିଛନ୍ତି କି ନାହିଁ, ସ୍ୱୟଂ ଅବନୀବାବୁ ଧାଇଁ ଆସି ତାଙ୍କୁ ପାଛୋଟି ନେଲେ । ମି: ପଟ୍ଟନାୟକ ଦେଖିଲେ–ଅବନୀବାବୁ ବେଶ ମାର୍ଜିତ ଭଦ୍ରଲୋକ । କଥାବାର୍ତ୍ତା ଚାଲିଚଳନରେ ଖୁବ୍‌ ସଂଯତ, ଆଉ ଗମ୍ଭୀର । ମି: ପଟ୍ଟନାୟକଙ୍କ ଆସିବାର ଜାଣିବା ଆଗରୁ ସେ ତାଙ୍କୁ କାରଖାନାର ବିଭିନ୍ନ ବିଭାଗ ବୁଲାଇ ଦେଖାଇବାରେ ଲାଗିଗଲେ ।

 

କାରଖାନା ଦେଖା ସରିଲା । ଅବନୀବାବୁ ମି: ପଟ୍ଟନାୟକଙ୍କୁ ଅଫିସ୍‌ ରୁମ୍‌ରେ ବସାଇ ନିଜେ ଗୋଟିଏ ଆସନରେ ବସୁ ବସୁ ଆଗ କଥା ଆରମ୍ଭ କଲେ—‘‘ବୁଝିଲେ ନା ଆଜ୍ଞା ! ବର୍ତ୍ତମାନ ଆମ ହାତରେ ବହୁତ ଅର୍ଡ଼ର । କିନ୍ତୁ ଦୈବାତ୍‌ ଏମିତି ବିପତ୍ତି ପଡ଼ିବ ବୋଲି କିଏ ବା ଜାଣିଥିଲା ? ଯାହାହେଉ, ସେ ଅର୍ଡ଼ର ସବୁ ତ ପୁଣି ଯଥା ସମୟରେ ସପ୍ଲାଇ କରିବାକୁ ପଡ଼ିବ; ନ ହେଲେ.... ।’’

 

‘‘ନିଶ୍ଚୟ, ନିଶ୍ଚୟ ! ବଦ୍‌ନାମ ହୋଇଯିବା କଥା ।’’ କଥା ଛଡ଼ାଇ ନେଇ କହିଲେ ମି: ପଟ୍ଟନାୟକ ।

 

‘‘ଖାଲି କ’ଣ ସେତିକି ! ବର୍ତ୍ତମାନ ମାଲିକ ତ ଗଲେ । ତାଙ୍କ ସଙ୍ଗରେ ଟଙ୍କା ତିନି ଲକ୍ଷ ବି ହରଣଚାଲ । ସେ ଅଭାବ କିମିତି ପୂରଣ କରାଯାଇ ପାରିବ, ମୋତେ ତ ବୁଦ୍ଧିବାଟ ଦିଶୁନାହିଁ !’’ କହୁ କହୁ ମୁହଁ ଶୁଖାଇ ବସିଲେ ଅବନୀବାବୁ ।

 

‘‘ତିନି ଲକ୍ଷ ! କିମିତି ?’’ ଆଖି ଦୁଇଟା କପାଳ ଉପରକୁ ଉଠାଇ ପଚାରିଲେ ମି: ପଟ୍ଟନାୟକ ।

 

‘‘ସେଦିନ ମାଲିକ ଯେତେବେଳେ କାରଖାନାରୁ ଗଲେ, ସେତେବେଳେ ଛ’ଖଣ୍ଡ ସୁନା ଇଟା ସାଙ୍ଗରେ ନେଇ ଯାଇଥିଲେ । କାରଣ ଏଠାରେ ଜିନିଷ ରଖିବା ନିରାପଦ ନୁହେଁ । ଆପଣମାନେ ତ ସେ ଜିନିଷର ସନ୍ଧାନ ପାଇ ନାହାନ୍ତି । ତେବେ ତାକୁ ବି ଡକାୟତ ଦଳ ନେଇଥିବା ସମ୍ଭବ ।’’ କହିଲେ ଅବନୀବାବୁ ।

 

‘‘ଓ ହୋଃ, ତେବେ ଏ ତ ଗୋଟାଏ ରୀତିମତ ଡକାୟତି ! ଆଚ୍ଛା, ଏତେ ସୁନା ଆପଣ ଆଣିଲେ ବା କେଉଁଠୁ ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମି: ପଟ୍ଟନାୟକ ।

 

ଏ ପ୍ରଶ୍ନରେ ଅବନୀବାବୁ ଟିକେ ଥତମତ ହୋଇଗଲା ପରି ହୋଇ କହିଲେ, ‘‘ବୁଝିଲେ ନା ଆଜ୍ଞା ! ବଡ଼ ବଡ଼ ଅର୍ଡ଼ର ସପ୍ଲାଇ କରିବା ପାଇଁ ଆମେ ପ୍ରାୟ ବହୁତ ସୁନା ଆବଶ୍ୟକ କରିଥାଉଁ-। ଦୈନିକ କାମ ପାଇଁ ସୁନା ଦେଇ ସାରି ଅବଶିଷ୍ଟତକ ବାବୁ ଘରକୁ ନେଇ ଯାଆନ୍ତି । ସେଦିନ ବି ସେମିତି ନେଇ ଯାଇଥିଲେ ।’’

 

ମି: ପଟ୍ଟନାୟକ ପଚାରିଲେ—‘‘ଆପଣ ତା’ ନିରାପତ୍ତା ପାଇଁ କ’ଣ କିଛି ବ୍ୟବସ୍ଥା କରିଥିଲେ ? ଏତେ ମୂଲ୍ୟର ଜିନିଷ ଯେତେବେଳେ... ।’’

 

‘‘ସେମିତି ତ ପୁଣି ସବୁଦିନ ନିଆଅଣା ହେଉଥିଲା ।’’ ଟିକିଏ ଗୁଁ ପୁଁ ହୋଇ କହିଲେ ଅବନୀବାବୁ ।

 

ମି: ପଟ୍ଟନାୟକ ଅବନୀବାବୁଙ୍କ ସାଉଁଳିଆ କଥା ଆଉ ଭଦ୍ରତାରେ ଏତେଦୂର ଆପ୍ୟାୟିତ ହୋଇ ଯାଇଥିଲେ ଯେ ହରଣଚାଳର ତଦନ୍ତ କରିବା ଦାୟିତ୍ୱ ସେ ସମ୍ପୂର୍ଣ୍ଣ ବିସ୍ମୃତ ହୋଇ ଯାଇଥିଲେ । ଏଣୁ ତେଣୁ ବାଜେ କଥାବାର୍ତ୍ତା ପରେ ସରବତ୍‌ର ସଦ୍‌ବ୍ୟବହାର ପରେ ସେ ସିଧା ସିଧା ପୋଲିସ୍‌ ହେଡ଼୍‌କ୍ୱାଟର୍ସକୁ ଫେରି ଆସିବା ଛଡ଼ା ଅନ୍ୟ କିଛି କରି ନାହାନ୍ତି ।

Image

 

-ତିନି-

 

ମି: ପାତ୍ରଙ୍କର ହରଣଚାଳ ହେବାର ଆଠଦିନ ଗତ ହୋଇ ଗଲାଣି । ପୋଲିସ ବିଭାଗର ଖୁବ୍‌ ଦକ୍ଷ କର୍ମଚାରୀମାନେ ମଧ୍ୟ ତଦନ୍ତ କରି ନିରାଶ ହୋଇ ପଡ଼ିଲେଣି । କିଛି ସଠିକ ସମ୍ବାଦ କେହି ଦେଇ ପାରି ନାହାନ୍ତି । ସମ୍ବାଦପତ୍ରମାନଙ୍କରୁ ହରଣଚାଳ ସମ୍ବନ୍ଧୀୟ ବିବୃତି କ୍ରମେ କ୍ଷୁଦ୍ରରୁ କ୍ଷୁଦ୍ରତର ହେଲାଣି ।

ଏଣେ ମିସେସ୍‌ ପାତ୍ର ଚିନ୍ତାରେ ଦିନକୁ ଦିନ ଶୁଖି କଳା ପଡ଼ି ଗଲେଣି । ଗୋଟିଏ ଦିଗରେ ଇହପରକାଳର ଗତିମୁକ୍ତିଦାତା ସ୍ୱାମୀଙ୍କର ଆକସ୍ମିକ ଅନ୍ତର୍ଦ୍ଧାନ, ଅନ୍ୟ ଦିଗରେ ହରଣଚାଳ ହୋଇଥିବା ଅନ୍ୟୁନ ତିନିଲକ୍ଷ ଟଙ୍କା ମୂଲ୍ୟ ସୁନାର କ୍ଷତିପୂରଣ । ତାଙ୍କର ଯାହା ସମ୍ପତ୍ତି ଅଛି ସେଥିରୁ ଅବଶ୍ୟ ତିନି ଲକ୍ଷ ଟଙ୍କା ଦେଇ ହେବ, କିନ୍ତୁ ଏପରି ଭାବେ ସେ ଧନ ହସ୍ତାନ୍ତର କରି ନ ପାରନ୍ତି । ସ୍ୱାମୀଙ୍କଠାରୁ ଶୁଣିଥିଲେ–ତାଙ୍କର ଭୂ-ଗର୍ଭସ୍ଥ ଗନ୍ତାଘରେ ବହୁ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜହରତ୍‌ ଗଚ୍ଛିତ ଅଛି । କିନ୍ତୁ ସେ ଦିନେ ହେଲେ ସେ ସବୁ ଖୋଲି ଦେଖିବାକୁ ଇଚ୍ଛା କରି ନାହାନ୍ତି । ଯଦିଓ ଭୂ-ଗର୍ଭସ୍ଥ ଧନାଗାରକୁ ଯିବାର ରାସ୍ତା ତାଙ୍କୁ ଜଣା ଓ ଚାବି ମଧ୍ୟ ପାଖରେ ଅଛି । ବର୍ତ୍ତମାନ ପରିସ୍ଥିତିରେ କର୍ତ୍ତବ୍ୟ କ’ଣ, ତାହା ତାଙ୍କୁ ବଡ଼ ବିଚଳିତ କରି ପକାଇଥିଲା । ସେ ଏକ ପ୍ରକାର ପାଗଳୀଙ୍କ ପରି ପଡ଼ିଥିଲେ ।

ମିସେସ୍‌ ପାତ୍ରଙ୍କର ଏ ଦୁଃଖରେ ସବୁଠାରୁ ଦୁଃଖୀ ହୋଇଛନ୍ତି ମ୍ୟାନେଜର ଅବନୀବାବୁ-। ମିଷ୍ଟର ପାତ୍ରଙ୍କ ଅନ୍ତର୍ଦ୍ଧାନର ପରଦିନ ଠାରୁ ପ୍ରାୟ ପ୍ରତିଦିନ ସନ୍ଧ୍ୟା ସମୟରେ ସେ ମାନସପୁରୀକୁ ଆସି ମିସେସ୍‌ ପାତ୍ରକୁ ସାନ୍ତ୍ୱନା ଦେଉଛନ୍ତି । ମିଷ୍ଟର ପାତ୍ରଙ୍କ କଥା କହୁ କହୁ ପିଲାଙ୍କ ପରି କାନ୍ଦୁଛନ୍ତି ଓ ପ୍ରତ୍ୟେକ ଥର ଫେରିଗଲା ବେଳେ ତିନିଲକ୍ଷ ଟଙ୍କା କ୍ଷତିପୂରଣ ଶୀଘ୍ର ଦେବାକୁ ହେବ, ଏ କଥା ମଧ୍ୟ ଚେତାଇ ଦେଇ ଯାଉଛନ୍ତି । ଏପରି ବିପଦ ସମୟରେ ଅବନୀବାବୁଙ୍କ ବ୍ୟତୀତ ମିସେସ୍‌ ପାତ୍ର ଆଉ କାହାରିକୁ ବିଶ୍ୱାସୀ ବୋଲି ଭାବି ପାରୁନାହାନ୍ତି । ସେ ଦିନ ସନ୍ଧ୍ୟାରେ ଅବନୀବାବୁ ମିସେସ୍‌ ପାତ୍ରଙ୍କ ସହିତ ଦେଖାକରି ତାଙ୍କୁ ଖଣ୍ଡିଏ ଇଂରାଜୀ ଟାଇପ୍‌କରା ଚିଠି ଦେଖାଇ କହିଲେ–‘‘ଦେଖନ୍ତୁ ମିସେସ୍‌ ! ଏ ଖଣ୍ଡିକ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କଠାରୁ ଆଜି ଆସିଛି । ଆମର ଯେଉଁ ସୁନା ହରଣଚାଳ ହୋଇଗଲା ସେ ସୁନା ସେ ଦେଇଥିଲେ ଗହଣା ତିଆରି ପାଇଁ । ବର୍ତ୍ତମାନ ସେ ଗହଣା ଦାବୀ କରି ଲେଖିଛନ୍ତି ।’’

ଚିଠି ଦେଖି ମିସେସ୍‌ ପାତ୍ର ବଡ଼ ବିଚଳିତ ହୋଇପଡ଼ି କହିଲେ–‘‘କ’ଣ ତେବେ କରାଯିବ-?’’

ଅବନୀବାବୁ କହିଲେ–‘‘ଏଥିରେ ଚିନ୍ତା କରିବାର କ’ଣ ଅଛି ? ତାଙ୍କୁ ତ ଜିନିଷ ଯେ କୌଣସି ପ୍ରକାରେ ହେଉ ଦେବାକୁ ହେବ । ଯଦି ଦିଆ ନ ଯାଏ, ତେବେ ସେ କୋର୍ଟର ଆଶ୍ରୟ ନେଇ ଜିନିଷ ତ ନେବେ; ଉପରନ୍ତୁ କାରଖାନାର ଦୁର୍ନାମ ହେବ, ସବୁ ଦିନକୁ ଗୋଟିଏ ଅପବାଦ ରହିଯିବ । ବରଂ ଘରୁ ଧନ ଯାଉ, କିନ୍ତୁ କାରଖାନାର ସୁନାମ ରହୁ । ଅବଶ୍ୟ କାରଖାନା ସୁରୁଖୁରୁରେ ଚାଲିଲେ ପୁଣି କେତେ ତିନିଲକ୍ଷ ଆସିବ । ଏମିତି ଯେ ଗୋଟାଏ ଘଟିବ; ହାୟ ହାୟ....’’ ଅବନୀବାବୁ ଆଖିରୁ ଲୁହ ପୋଛିଲେ ।

‘‘ହଉ ତେବେ, ମୁଁ ଆପଣଙ୍କ କଥା ଭାବି ଦେଖିବି । ଆପଣ ତ ପୁଣି କାଲି ଆସିବେ । ଯାହା ହେବାର ହେଉ, ତାଙ୍କୁ ତାଙ୍କ ଜିନିଷଟା ଦେଇ ଦେବା ।’’ କହି କହି ଘର ଭିତରକୁ ଚାଲିଗଲେ ମିସେସ୍‌ ପାତ୍ର ।

ଚାରିଆଡ଼େ ଘମାଘୋଟ ଅନ୍ଧାର ମାଡ଼ିଗଲାଣି ସେତେବେଳକୁ । କୃଷ୍ଣପକ୍ଷ ରାତି । ଅବନୀବାବୁ ଧୀରେ ଧୀରେ ପାଦ ପକାଇ ଫାଟକ ଆଡ଼େ ଆସିଲେ । ଫାଟକଠାରୁ ଟିକିଏ ଛଡ଼ାରେ ଝଙ୍କା ବଉଳ ଗଛଟାଏ । ତା’ ତଳଟା ଜମାଟବନ୍ଧା ଅନ୍ଧାର । ତଳକୁ ଗଲେ ହୁଏତ ହାତପାଖର ମଣିଷ ଦେଖାଯିବ କି ନାହିଁ ସନ୍ଦେହ ।

ଅବନୀବାବୁ ତ୍ରସ୍ତହୋଇ ଥରେ ସେଆଡ଼କୁ ଥରେ ଏଆଡ଼କୁ ଚାହିଁ ଧୀରେ ଧୀରେ ତା’ରି ତଳକୁ ଯାଇ ଠିଆହେଲେ । ତା’ପରେ ଆସ୍ତେ ଆସ୍ତେ ପାଟିରେ ସିଟି ମାରିଲେ । ପ୍ରାୟ ମିନିଟିକ ପରେ ଖୁବ୍‌ ପାଖରେ ପାଦଶବ୍ଦ ଶୁରାଗଲା । ଗାଢ଼ ଅନ୍ଧକାରରେ ବି ବାରି ହେଉଥାଏ–ଜଣେ ମଣିଷ ବଉଳଗଛ ତଳକୁ ଚାଲିଗଲା ଭଳି; ଖାଲି କଳା ଛାଇଟା ଯାହା ଦିଶିଗଲା ।

‘‘ଖବର କ’ଣ..... ?’’

‘‘ସବୁ ଠିକ୍‌ । ତେବେ ରାସ୍ତା ପାଇନି.... ।’’

‘‘ଦେଖ୍‌, ଚେଷ୍ଟା କର । ଖୁବ୍‌ ସମ୍ଭବ ଆଜି ରାତିରେ.....’’

‘‘କିମିତି ?’’

‘‘ଆଜି ରାତିରେ ବୋଧହୁଏ ସେ ଭୂ-ଗର୍ଭର ଗନ୍ତାଘର ଖୋଲି ସୁନା କାଢ଼ିବ । ସେତିକିବେଳେ ରାସ୍ତା ଦେଖିବୁ....’’

 

‘‘ବହୁତ ଆଚ୍ଛା ! ସେ ଆଡ଼ର ଖବର କ’ଣ ?’’

 

‘‘ସବୁ ଠିକ୍‌, କିନ୍ତୁ ଖବର ମିଳୁନାହିଁ; ତଥାପି ଚେଷ୍ଟା ଚାଲିଛି । ଆଚ୍ଛା; ତୁ ଠିକ୍‌ ଥିବୁ ।’’

 

ଖୁବ୍‌ ଅସ୍ପଷ୍ଟ କଥାବାର୍ତ୍ତା । ତା’ପରେ ଅବନୀବାବୁ ସାଏଁ କରି ବାହାରିଗଲେ ସେଠାରୁ । ତା’ର କିଛି ସମୟ ପରେ ଆରଲୋକ ଜଣକ ତରଙ୍ଗ ତରଙ୍ଗ ହୋଇ ଏଣିକି ତେଣିକି ଚାହିଁ ଚାହିଁ ଚାଲିଗଲା ମି: ପାତ୍ରଙ୍କ ପ୍ରାସାଦଆଡ଼େ ।

 

ସେ ଦିନ ସକାଳ ଆଠଟା ।

 

ବିଖ୍ୟାତ ଡିଟେକ୍‌ଟିଭ୍‌ ମି: ଚୌଧୁରୀ ତାଙ୍କର ବାସଭବନ ସଂଲଗ୍ନ ଅଫିସ ରୁମ୍‌ରେ ବସି କେତେକ କାଗଜପତ୍ର ଦେଖୁଥାଆନ୍ତି । ଏତିକିବେଳେ ତାଙ୍କର ସହକାରୀ ଶରତ୍‌ ରୁମ୍‌ ଭିତରକୁ ପଶିଆସି କହିଲା—‘‘ମୋତେ ସେଦିନ ପ୍ରସ୍ତୁତ ହେବାକୁ କହିଥିଲେ । ମୁଁ ତ ପ୍ରସ୍ତୁତ ଅଛି; କାହିଁ ଯୁଦ୍ଧ ଡାକରା ତ ହେଲା ନାହିଁ ?’’

 

ମି: ଚୌଧୁରୀ ପ୍ରିୟ ସହକାରୀଟି ଆଡ଼କୁ ଚାହିଁ କହିଲେ—‘‘ହବ ହବ, ବ୍ୟସ୍ତ କାହିଁକି-? ଦେଖିବା ତୁମେ କେତେ ଦୂର ଯୁଦ୍ଧ ଡାକରାର ଜବାବ ଦେଇ ପାରୁଛ ? ହଁ, ଆଜିର ଖବର କ’ଣ-?’’

 

‘‘ବଡ଼ ସାଂଘାତିକ ସାର୍‌ ! ମି: ପାତ୍ରଙ୍କର ପୋଷାକ ପତ୍ର ରକ୍ତାକ୍ତ ଅବସ୍ଥାରେ ମିଳିଛି, ତାଙ୍କ ଶିଳ୍ପପୁରୀ କାରଖାନା ସାମ୍ନା ବୁଦାତଳୁ । ସେ ଯେ ପାତ୍ରଙ୍କର ତାହା ତାଙ୍କ ସ୍ତ୍ରୀ ମିସେସ୍‌ ପାତ୍ର ଚିହ୍ନଟ କରିଛନ୍ତି ।’’ ତନ୍ମୟ ହୋଇ କହିବାରେ ଲାଗିଥିଲେ ଶରତ୍‌ ।

 

ମି: ଚୌଧୁରୀ କିନ୍ତୁ କଥାଟାକୁ ଖୁବ୍‌ ହାଲୁକା ଭାବରେ ଶୁଣୁଥିଲେ ଆଉ କାଗଜ ଉପରେ ଦୃଷ୍ଟି ନିବିଷ୍ଟ କରିଥିଲେ । ଟିକକ ପରେ କାଗଜ ଉପରୁ ମୁହଁ ଉଠାଇ ପଚାରିଲେ, ‘‘ସେ ପୋଷାକଗୁଡ଼ିକ ଆବିଷ୍କାର କଲା କିଏ ?’’

 

‘‘ତାଙ୍କ ମ୍ୟାନେଜର ଅବନୀବାବୁ । ଆଜି ଫାଟକ ପାଖରେ ଚାଲ୍‌ବୁଲ୍‌ କରୁ କରୁ ହଠାତ୍‌ ତାଙ୍କ ଦୃଷ୍ଟିପଡ଼ନ୍ତେ.... ।’’

 

‘‘ତେବେ ତ ଯୁଦ୍ଧ ଅତି ନିକଟେଇ ଆସିଲା ବୋଲି ଜାଣ । ପ୍ରଥମେ ଆମକୁ ମି: ପାତ୍ରଙ୍କୁ ଉଦ୍ଧାର କରିବାକୁ ହେବ । ସେତକ କରି ପାରିଲେ ଆମ ପକ୍ଷରେ ଅନ୍ୟ କାମ କରିବା କଷ୍ଟ ହେବ ନାହିଁ ।’’ ଶରତ୍‌ଙ୍କ କଥାରେ ବାଧାଦେଇ କହିଲେ ମି: ଚୌଧୁରୀ ।

 

‘‘କ’ଣ କହୁଛନ୍ତି ସାର୍‌ ? ଯେଉଁଠି ମି: ପାତ୍ରଙ୍କର ରକ୍ତାକ୍ତ ପୋଷାକ ମିଳୁଛି ବୁଦାତଳୁ, ସେଠି ଆପଣ ପୁଣି ଉଦ୍ଧାରର କଳ୍ପନା କରୁଛନ୍ତି ?’’ ଭାଷାରେ ଅସୀମ ବିସ୍ମୟ ପ୍ରକାଶ କରି କହିଲେ ଶରତ୍‌ ।

 

‘‘ମୁଁ ଅଗତ୍ୟା ବାଧ୍ୟହୋଇଛି ଶରତ୍‌, ମୁଁ ବାଧ୍ୟହୋଇଛି । ଏବେ ଅଭିଜ୍ଞତା ଅବଶ୍ୟ ତୁମର ହେଇନି; କିନ୍ତୁ ନିଶ୍ଚିତ ରୂପେ ତୁମେ ଜାଣି ରଖ ଯେ, ଏଇଟା ଗୋଟାଏ ଚାଲବାଜି ଛଡ଼ା ଆଉ କିଛି ନୁହେଁ । ମିଷ୍ଟର ପାତ୍ରଙ୍କୁ ଯଦି ହତ୍ୟାକରା ହୋଇଥାନ୍ତା, ତେବେ ପୋଷାକ ବଦଳରେ ପୋଷାକ ସହ ଶବ ଆବିଷ୍କାର କରାଯାଇ ପାରିଥାନ୍ତା । କିନ୍ତୁ ତା’ ନୁହେଁ । ତୁମେ ନିଶ୍ଚିତ ହୁଅ ଯେ—ମି: ପାତ୍ର ଜୀବିତ । ରକ୍ତାକ୍ତ ପୋଷାକ ଦେଖାଇ, ତାଙ୍କର ମୃତ୍ୟୁର ଧାରଣା ଆମ ମନରେ ଜନ୍ମାଇବା ହେଲା ଏହାର ପ୍ରକୃତ ଉଦ୍ଦେଶ୍ୟ । ମୁଁ ଆଜି ତୁମକୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବି । ତୁମେ ସେ ଗୁଡ଼ିକୁ ତୁଲାଇବାକୁ ପ୍ରସ୍ତୁତ ରହ’’—କହିଲେ ମି: ଚୌଧୁରୀ ।

 

‘‘ମୁଁ ପ୍ରସ୍ତୁତ ସାର୍‌ !’’ —ହସିଦେଇ କହିଲେ ଶରତ୍‌ ।

 

‘‘ଧନ୍ୟବାଦ !’’ —ସଂକ୍ଷିପ୍ତ ଉତ୍ତରଟିଏ ଦେଇ କାଗଜରେ ମନୋନିବେଶ କଲେ ମି: ଚୌଧୁରୀ ।

 

X X X

 

ଧାରା ଶ୍ରାବଣର ଶେଷ । ବର୍ଷା ଛାଡ଼ିଛି, ତଥାପି ଆକାଶରେ ବାଦଲ ଭସା ଶେଷ ହୋଇନି । ଅଷ୍ଟମୀ ତିଥିରେ ରାତ୍ରି; ଚନ୍ଦ୍ର ଅସ୍ତ ହେବାକୁ ଆଉ ବେଶୀ ଡେରି ନାହିଁ ବୋଧହୁଏ । ଦୂରରେ କୁହୁଡ଼ିର ମାଟିଆ ପରଦା ତଳେ ଛପି ଯାଇଛନ୍ତି ପ୍ରକୃତିର ଯତ୍ନପାଳିତ ଗଛଲତାଗୁଡ଼ିକ ।

 

ସହରର କୋଳାହଳ ଆଉ ନାହିଁ । କେତେବେଳେ ବହୁ ଦୂରରୁ ବୁଲା କୁତିଟାର ବେତାଳିଆ ସ୍ୱର ବା ବୁଦିବୁଦିକିଆ ଜଙ୍ଗଲଆଡ଼ୁ ବିଲୁଆଟାର ରଡ଼ି ଛଡ଼ା ଆଉ କିଛି ଶବ୍ଦ ଶୁଭୁ ନାହିଁ-

 

ମାନସପୁରୀ ସ୍ତବ୍‌ଧ । ଚାକର ପୁଝାରୀ ଯେ ଯୁଆଡ଼େ ଖାଇ ଶୋଇଲେଣି । ରାତିରେ ବେଶୀ ବେଳଯାଏ କାମ ଲାଗିଥାଏ କେବଳ ମି: ପାତ୍ରଙ୍କ ପାଇଁ । କିନ୍ତୁ ସେ ଗଲାଦିନୁ ଆଉ କାମ ବା କ’ଣ ? ମିସେସ୍‌ ପାତ୍ର ତ ଆହାର ନିଦ୍ରା ଛାଡ଼ି ସବୁବେଳେ ଶେଯ ଧରିଛନ୍ତି । ଚାକର ପୁଝାରୀଗୁଡ଼ା ଖାଲି ନିଜର ଖାଇବା ଯୋଗାଡ଼ ଛଡ଼ା ଆଉ କିଛି କାମ କରିବାକୁ ବି ପାଉନାହାନ୍ତି । ବରାଦ ମଧ୍ୟ କରୁଛି କିଏ ? ସେଇଥି ପାଇଁ ମାନସପୁରୀର ନିର୍ଜନତା ଆଜି ଏତେ ଶୀଘ୍ର । ଗୋଟାଏ ଗୋଟାଏ କୋଠରୀରୁ ରୀତିମତ ଘୁଙ୍ଗୁଡ଼ି ଶବ୍ଦ ମଧ୍ୟ ଶୁଣାଯାଉଛି । ବିରାଟ ପ୍ରାସାଦଟାକୁ ଘେରି ରହିଛି ଝାପ୍‌ସା ଅନ୍ଧକାର ଆଉ ଘୋର ନିର୍ଜନତା ।

 

ପ୍ରାସାଦର ଭିତର ଆଡ଼ର ସୁସଜ୍ଜିତ ଶୟନ କକ୍ଷଟିଏ । ତା’ରି ଠିକ୍‌ ମଝିରେ ମୂଲ୍ୟବାନ ପଲଙ୍କ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ରହି ମିସେସ୍‌ ପାତ୍ର ଭାବୁଥିଲେ ନିଜର ଭବିଷ୍ୟତ୍‌ କଥା–‘‘କାଲି ତିନିଲକ୍ଷ ଟଙ୍କା କିମ୍ବା ସେହି ମୂଲ୍ୟର ସୁନା କ୍ଷତିପୂରଣ ଦେବାକୁ ହେବ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କୁ । ବିରାଟ ଧନାଗାରର ସଂଗ୍ରାହକ ତାଙ୍କର ପ୍ରାଣପ୍ରିୟ ସ୍ୱାମୀ ରହିଲେ କାହିଁ କେଉଁଠି ? ଖାଲି ହା-ହୁତାଶରେ ବଞ୍ଚିରହିବା ପାଇଁ ତାଙ୍କୁ ଛାଡ଼ିଗଲେ ସିନା !’’

 

ପୁଣି ମନରେ କ’ଣ ଭାବି ପଲଙ୍କ ଉପରେ ଉଠି ବସିଲେ ସେ । ଉପରେ ନୀଳ ବର୍ଣ୍ଣର ବିଦ୍ୟୁତ୍‌ ଆଲୋକଟି ଜଳୁଥିଲା ଦିକ୍‌ ଦିକ୍‌ ହୋଇ । କୋଠରୀ ଭିତରର ଅନ୍ଧକାର ଦୂର କରିବାର କ୍ଷମତା ଯଦିଓ ତା’ର ନ ଥିଲା, ତଥାପି ଇଷତ୍‌ ନୀଳାଭ ଆଲୋକର ଆଭା ବିଞ୍ଚୁଡ଼ି ହୋଇ ପଡ଼ିଥିଲା ଘରସାରା । ସେଇ ମ୍ଳାନ ଆଲୋକରେ ମିସେସ୍‌ ପାତ୍ରଙ୍କର ଦୁଇଖଣ୍ଡ ଦେଇ ଦୁଇଧାର ଲୁହ ବହି ଆସୁଥିଲା ତାଙ୍କର ଅଜ୍ଞାତରେ, ମୁକ୍ତା ବିନ୍ଦୁପରି ଢଳ ଢଳ ହୋଇ । ଅସଂଯତ ବସନ ପରିପାଟି ତଳେ ମିସେସ୍‌ ପାତ୍ରଙ୍କର ଗୌରବର୍ଣ୍ଣ ଦେହରେ ନୀଳବର୍ଣ୍ଣର ଆଲୋକଛଟା ଅପୂର୍ବ ସୁଷମା ସୃଷ୍ଟି କରିଥିଲା ।

 

ପ୍ରାୟ ପାଞ୍ଚ ମିନିଟ୍‌ ଅତିବାହିତ ହେବା ପରେ ପଲଙ୍କ ଉପରୁ ତଳକୁ ଓହ୍ଲାଇ ଆସିଲେ ମିସେସ୍‌ ପାତ୍ର । ପଲଙ୍କର ତଳ ଆଡ଼କୁ ଛୋଟ ଟେବୁଲଟିଏ । ସେଇ ଟେବୁଲ ଉପରେ ହାତୀ ଦାନ୍ତର ମୋଟା ଫ୍ରେମ୍‌ଦିଆ ରାଧାକୃଷ୍ଣ ଯୁଗଳ ପ୍ରତିମୂର୍ତ୍ତିର ବିରାଟ ତୈଳଚିତ୍ର । ମିସେସ୍‌ ପାତ୍ର ସେଇ ଟେବୁଲ୍‌ ଆଗରେ ଠିଆ ହୋଇ ତୈଳଚିତ୍ର ଆଡ଼କୁ ଦଣ୍ଡେ ଚାହିଁଲେ । ତା’ପରେ ଘରର ଚାରିପଟକୁ ଖୁବ୍‌ ସନ୍ତର୍ପଣରେ ଥରେ ଚାହିଁ ଫଟୋ ଫ୍ରେମ୍‌ର ଉପର ଅଂଶରେ ସାମାନ୍ୟ ଚାପ ଦେଲେ । ‘ଖୁଟ୍‌’ କରି ସାମାନ୍ୟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଫ୍ରେମ୍‌ଟି ଦୁଇଫାଳ ହୋଇ ଖୋଲିଗଲା-

 

ମିସେସ୍‌ ପାତ୍ର ଖୁବ୍‌ ସାବଧାନରେ ତା’ରି ଭିତରୁ ପ୍ରାୟ ଛଅଇଞ୍ଚ ଲମ୍ବର ଲୁହା ଚାବିକାଠି ଖଣ୍ଡେ ବାହାର କରି ଆଣିଲେ । କାଠି ଖଣ୍ଡିକର ତିଆରି ଅଦ୍ଭୁତ ପ୍ରକାରର । ତା’ ଦେହସାରା ପେଚ ପରି କଟା କଟା ହୋଇଛି । କାଠି ଭିତରଟି ମଧ୍ୟ ପୋଲା । ଅନୁଜ୍ଜ୍ୱଳ ଆଲୋକରେ ଚାବିକାଠି ଖଣ୍ଡିକ ମୁହଁ ସାମନାକୁ ଟେକି ଧରିଲେ ସେ । ଆଖିରୁ ତାଙ୍କର ପୁଣି ଦୁଇଟୋପା ଲୁହ ଖସି ପଡ଼ିଲା-

 

ଚାବିକାଠିକୁ ଖୁବ୍‌ ସାବଧାନରେ ଧରି ପୁଣି ଥରେ ଚାରିଆଡ଼କୁ ଅନାଇଲେ ମିସେସ୍‌ ପାତ୍ର । ତା’ପରେ ଚାହିଁଲେ କାନ୍ଥରେ ଟଙ୍ଗା ହୋଇଥିବା ଘଣ୍ଟାଟାକୁ । ଘଣ୍ଟାରେ ଗୋଟାଏ ବାଜିଛି ସେତେବେଳକୁ । ଦୋଳନାଟି ସମତାଳରେ ଝୁଲି ଚାଲିଛି । ଧୀରେ ଧୀରେ ଘଣ୍ଟାଟିର ଆଗରେ ଥିବା କାଚ ଢାଙ୍କୁଣୀ ଖୋଲି ଦେଲେ ସେ । ତା’ପରେ ଚାବିକାଠିଟା ଲଗାଇ ଯେମିତି ଘଣ୍ଟାରେ ଚାବି ଦିଅନ୍ତି, ସେମିତି ମୋଡ଼ିବାକୁ ଲାଗିଲେ । ପ୍ରାୟ ଛଅ ସାତ ଥର ମୋଡ଼ିବା ପରେ ସାମାନ୍ୟ ଖୁଡ଼୍‌ ଖାଡ଼୍‌ ଶବ୍ଦହେଲା କୋଠରୀଟା ଭିତରେ । ତା’ ସଙ୍ଗେ ସଙ୍ଗେ କାନ୍ଥର ଗୋଟାଏ ଜାଗାରେ ଖୁବ୍‌ ଛୋଟିଆ ଦ୍ୱାରଟାଏ ଖୋଲିଗଲା । ମିସେସ୍‌ ପାତ୍ର ପୁଣି ଥରେ ଚାରିଆଡ଼କୁ ସତର୍କ ଦୃଷ୍ଟି ପକାଇ ପଶିଗଲେ ତା’ରି ଭିତରକୁ । ଭୂ ଗର୍ଭସ୍ଥ ଗୁପ୍ତ ଧନାଗାରର ଅନ୍ଧକାର କୋଠରୀରେ ତାଙ୍କ ଦେହ ଲୁଚିଗଲା ।

 

ଠିକ୍‌ ସେଇ ମୁହୂର୍ତ୍ତରେ ଖୁବ୍‌ ଗୋଟାଏ ଚାପା ହସ ଶୁଣାଗଲା ବାହାରେ । କବାଟ ଫାଙ୍କରେ ଦୁଇଟା ଆଖି ଲକ୍ଷ୍ୟ କରୁଥିଲା ଏ ସବୁ । ମିସେସ୍‌ ପାତ୍ର ଅନ୍ଧକାର ଗର୍ଭରେ ଲୁଚିଯିବା ସଙ୍ଗେ ସଙ୍ଗେ ସେଇ ସର୍ବନାଶୀ କାଳଚକ୍ଷୁ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଥିଲା ।

Image

 

-ଚାରି-

 

ନିଉ ଜୁଏଲାରୀ ମାର୍ଟ.....

 

ସହରର ଶ୍ରେଷ୍ଠ ଓ ବଡ଼ ଅଳଙ୍କାର ପ୍ରତିଷ୍ଠାନ । ଖାଲି ସୁନା ଛଡ଼ା ମୂଲ୍ୟବାନ ଜହରତ୍‌ର କାରବାର ମଧ୍ୟ ଏଠି ହୁଏ । ଭାରତର ବଡ଼ ବଡ଼ ରାଜା, ଜମିଦାର, ଧନୀଲୋକମାନଙ୍କ ସହିତ ଏ ଅନୁଷ୍ଠାନ କାରବାରରେ ବିଶେଷରୂପେ ସଂଯୁକ୍ତ ଓ ପରିଚିତ ମଧ୍ୟ । ନାନା ପ୍ରକାର ଆଧୁନିକ ଧରଣର ଅଳଙ୍କାରର ସେ ଦୋକାନ । କେଶ୍‌ଗୁଡ଼ିକ ସବୁ ସମୟରେ ଭରପୂର ରହିଥାଏ । ଭିତରକୁ ଚାହିଁଲେ ସୁନା ଜହରତ୍‌ର ଚକ୍‌ମକ୍‌ରେ ଆଖି ଝଲସି ଉଠେ; ଗ୍ରାହକର ମନ ସ୍ୱତଃ ଦୋକାନପ୍ରତି ଆକୃଷ୍ଟ ହୋଇପଡ଼େ ।

 

ମୋଟାମୋଟି ସାଧାରଣ ଭାବରେ ଦେଖିବାକୁ ଗଲେ ଦୋକାନରେ ବିକ୍ରୀ ଲକ୍ଷେ ଟଙ୍କାରୁ କମ୍‌ ନୁହେଁ । ଦୋକାନର ନିରାପତ୍ତା ଦୃଷ୍ଟିରୁ ସବୁବେଳେ ଦୁଇଜଣ ସଶସ୍ତ୍ର ଗୁର୍ଖା ଦରଓ୍ୱାନ୍‌ ସଦର ଦରଜାରେ ପହରା । ଦୋକାନର ମାଲିକ କିଶୋରୀଲାଲ ବେଶ୍‌ ମିଷ୍ଟଭାଷୀ । ଦୋଷ ଭିତରେ ତାଙ୍କର ଏତିକି ଥିଲା, ସେ ଟିକିଏ ସ୍ଥୂଳକାୟ । ତା’ ଉପରକୁ ଦେହ ତୁଳନାରେ ପେଟଟା ଖୁବ୍‌ ବଡ଼ ଓ ମୁଣ୍ଡଟା ଛୋଟ । ଆଖି ଦୁଇଟା କାହିଁ କେଉଁ କୋରଡ଼ରେ ପଶିଥିଲା ପରି ଜଣାଯାଏ । କିଶୋରୀଲାଲ ଗଦିରେ ବସିଥିଲେ ଠିକ୍‌ ଗୋଟାଏ ତୁଳାଗଦା ଉପରେ ନଡ଼ିଆଟିଏ ରଖାହେଲା ପରି ଦିଶେ ।

 

ସେଦିନର କାରବାର ଥିଲା ଅନ୍ୟ ଦିନମାନଙ୍କ ଅପେକ୍ଷା ଅନେକ ବେଶୀ । ପୂଜା ଛୁଟି ହେବାକୁ ଅଳ୍ପ ଦିନ ଥାଏ । ବିଦେଶୀ ଲୋକେ ନିଜ ନିଜ ଲୋକଙ୍କ ଚାହିଦା ଅନୁସାରେ ଅଳଙ୍କାର ପତ୍ର କିଣି ସ୍ୱଦେଶକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି । ଏହାହିଁ ଥିଲା ସେ ଦିନର ଅଧିକ କାରବାରର କାରଣ । ସେଦିନ ସକାଳୁ ରାତି ଦଶଟାଯାଏ ଗରାଖଙ୍କ ଭିଡ଼ । ଦଶଟା ଖୁବ୍‌ କାମିକା ଲୋକ ଜିନିଷ ଦିଆ ନିଆ କରି ଥକି ଗଲେଣି । ମାଲିକ କିଶୋରୀଲାଲଙ୍କ ମନଟା ବଡ଼ ଖୁସ୍‌ ଅଛି ।

 

ଦଶଟା ପରେ ଭିଡ଼ ଭାଙ୍ଗିଲା । ରାସ୍ତାର ଗହଳି ବି କମି ଆସିଲା କ୍ରମେ । କିଶୋରୀଲାଲ ଗୁମାସ୍ତାମାନଙ୍କୁ ବସାଇ ଜିନିଷ ଆଉ ଟଙ୍କା ପଇସାର ହିସାବ କରିବାରେ ଲାଗିଲେ-। ମୋଟାମୋଟି ହିସାବ ଘଣ୍ଟାକ ଭିତରେ ଶେଷ ହୋଇଗଲା । ବିକ୍ରି ଟଙ୍କା ନୋଟ ମିଶି ଦୁଇଲକ୍ଷ, ଆଉ ବଦଳ ସୁନା ଅନ୍ଦାଜ ସେରେ ଭଳି ହେବ ଦୁଇଟା ଅଲଗା ଅଲଗା ଥଳିରେ ପୂରାଇ କିଶୋରୀଲାଲ ନିଜ ବାଆଁ ପାଖରେ ରଖିଲେ । ସେ ସବୁ ନିଜର ଦାୟିତ୍ୱରେ ଖୁବ୍‌ ସାବଧାନରେ ରଖିବାକୁ ହେବ କି ନା !

 

ବାରଟା ବାଜିଲା । ଦୋକାନର କେଶ୍‌ ଗୁଡ଼ିକ ଭଲ କରି ବନ୍ଦ କରିବାକୁ ହୁକୁମ ଦେଇ କିଶୋରୀଲାଲ ଯିବାକୁ ପ୍ରସ୍ତତ ହେଲେ । ଠିକ୍‌ ଏତିକିବେଳେ ଗାଢ଼ କଳାରଙ୍ଗର କାର୍‌ ଖଣ୍ଡିଏ ଅଟକିଲା ଫାଟକ ସାମ୍ନାରେ । ଦାମୀ ଚକ୍‌ ଚକ୍‌ କାର୍‌ ଦେଖି ଦୋକାନର ସମସ୍ତଙ୍କ ଦୃଷ୍ଟି ସେଇ ଆଡ଼କୁ ଆକୃଷ୍ଟ ହୋଇ ପଡ଼ିଲା । ଆଉ ଜଣେ କିଏ ଗରାଖ ଆସିଗଲେ ଭାବି ଦୋକାନର ଗୁମାସ୍ତା କର୍ମଚାରୀମାନେ ବିରକ୍ତ ହୋଇ ପଡ଼ିଲେ । କିନ୍ତୁ ମନେ ମନେ ଖୁସିଟାଏ ହେଲେ କିଶୋରୀଲାଲ । ଯାହା ହେଉ ଅବଶ୍ୟ କିଛି ବାଜିଯିବ ।

 

ଏପରି ସମୟରେ ସମସ୍ତଙ୍କର ବିସ୍ମୟରେ ପୂର୍ଣ୍ଣଚ୍ଛେଦ ଟାଣି କାର୍‌ ଭିତରୁ ଓହ୍ଲାଇ ଆସିଲେ ଜଣେ ସାହେବ ପୋଷାକଧାରୀ ପ୍ରୌଢ଼ । ବିନା ବାକ୍ୟ ବ୍ୟୟରେ ସେ ସିଧା କିଶୋରୀଲାଲଙ୍କ ପାଖକୁ ଯାଇ କହିଲେ—‘‘ଦେବୀଗଡ଼ର ରାଜକୁମାର ଆସିଛନ୍ତି । ଲକ୍ଷେ ଦେଢ଼ ଲକ୍ଷ ଟଙ୍କାର ଗହଣା ପତ୍ର ନେବେ । ଆପଣଙ୍କର କିଛି ଅସୁବିଧା ଅଛି କି ବର୍ତ୍ତମାନ ?’’

 

କିଶୋରୀଲାଲ ଆନନ୍ଦର ଆତିଶଯ୍ୟାରେ ଅଭିଭୂତ ହୋଇ ପଡ଼ିଲେ କହିଲେ ଚଳେ । ସେ ବିନୀତ ହୋଇ କହିଲେ—‘‘ନା ନା, ଆମର ଆଉ ଅସୁବିଧା କ’ଣ ? ସେ ତ ଆମ ଭାଗ୍ୟର କଥା ।’’ ‘‘ଆସନ୍ତୁ, ଆସନ୍ତୁ, ବିଜେ ହେଉନ୍ତୁ’’—କହି କହି ପାଛୋଟି ଆଣିବା ପାଇଁ କାର୍‌ ପାଖକୁ ଥାକୁଲୁ ଥାକୁଲୁ ହୋଇ ଧାଇଁଗଲେ ।

 

ତାଙ୍କୁ ଅବଶ୍ୟ ବେଶୀ ଗୁଡ଼ାଏ ପରିଶ୍ରମ କରିବାକୁ ପଡ଼ିଲା ନାହିଁ । କାରଣ ଦେବୀଗଡ଼ର ରାଜକୁମାର ନିଜେ ଓହ୍ଲାଇ ଆସିଲେ । ତାଙ୍କ ସାଥିରେ ଆଉ ଜଣେ ସାହେବ ପୋଷାକଧାରୀ ଯୁବକ ହାତରେ ଚମଡ଼ା ବ୍ୟାଗ୍‌ ଖଣ୍ଡିଏ ଧରି ପଛେ ପଛେ ଆସୁଥାନ୍ତି । ପାଖାପାଖି ହୋଇଗଲାରୁ କିଶୋରୀଲାଲ ହାତଯୋଡ଼ି କହିଲେ—‘‘ମୋର ବଡ଼ ଭାଗ୍ୟ ଆଜ୍ଞା ! ଆପଣଙ୍କର ପାଦଧୂଳି ଯେ ଏ ଅଧମର ଦୋକାନରେ ପଡ଼ିପାରେ, ଏକଥା ମୋ କଳ୍ପନାରେ ସୁଦ୍ଧା ନ ଥିଲା । ଦେବୀଗଡ଼ ! କି ବିରାଟରାଜ୍ୟର କର୍ତ୍ତା ଆପଣ.... ।’’

 

‘‘ଆଉ ଆପଣ ବି ଗୋଟିଏ ଛୋଟିଆ ମୋଟିଆ କୁବେର ଭଣ୍ଡାରର ମାଲିକ’’.....କିଶୋରୀଲାଲଙ୍କ କଥାରେ ବାଧାଦେଇ କହି ମୁରୁକି ହସିଲେ ରାଜକୁମାର ।

 

କିଶୋରୀଲାଲ ପକ୍‌କା ବ୍ୟବସାୟୀ । ଟେକା ଟେକି କରି କହିବାରେ ଧୂରନ୍ଧର । ତାଙ୍କୁ ଆଉ କଥାରେ ବଳେଇଯିବେ ଦେବୀଗଡ଼ର ରାଜକୁମାର ? କଥା କହୁ କହୁ ଦୋକାନ ଉପରକୁ ଉଠିଲେ ତିନିହେଁ । ଗୋଟିଏ ମୂଲ୍ୟବାନ ସୋଫା ଉପରେ ଉପବେଶନ କଲେ ରାଜକୁମାର । ତାଙ୍କର ସାଥି ଦୁଇଜଣ ଦୋକାନ ସାରା ବୁଲି ଜିନିଷ ପସନ୍ଦ କରିବାରେ ଲାଗିଥାନ୍ତି ।

ଦେବୀଗଡ଼ର ରାଜକୁମାର । ବେଶ୍‌ ଦୀର୍ଘକାୟ ବଳିଷ୍ଠ ଚେହେରା । ମୁହଁର ଦାଢ଼ି ନିଶ ଗୌରବର୍ଣ୍ଣ ଦେହକୁ ବେଶ୍‌ ସାଜୁଥାଏ । ଦେହରେ ମୂଲ୍ୟବାନ ସାହେବୀ ପୋଷାକ । ମୁଣ୍ଡରେ ପର ଟୋପି । ହାତର ଅଙ୍ଗୁଳିରେ ହୀରାର ଅଙ୍ଗୁରୀୟ ଦାଉ ଦାଉ ହେଉଥାଏ । ରାଜକୁମାର କିଶୋରୀଲାଲଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି । ଏଣେ ବେଳେ ବେଳେ ଦୋକାନ ଭିତରପଟେ ଆଖି ପକାଉଥାନ୍ତି । ତାଙ୍କ ଆଖି ଦୁଇଟା ବେଳେ ବେଳେ କିଶୋରୀଲାଲଙ୍କ ବାଁ ପଟେ ଥିବା ଥଳି ଦୁଇଟି ଉପରେ ଲାଖି ରହୁଥାଏ । ସେ ଦୃଷ୍ଟି କିଶୋରୀଲାଲ ନିଶ୍ଚୟ ଲକ୍ଷ୍ୟ କରି ପାରୁଥାନ୍ତେ, ଯଦି ରାଜକୁମାରଙ୍କ ଆଖିରେ ନୀଳରଙ୍ଗର ଚଷମା ନ ଥାନ୍ତା ।

ପ୍ରାୟ ଘଣ୍ଟାକ ଭିତରେ ପସନ୍ଦ ଅନୁସାରେ ଜିନିଷ ବିଛା ହୋଇଗଲା । କିଶୋରୀଲାଲ ସବୁ ଗୁଡ଼ିକ ଓଜନ ବାଜନ କରି ହିସାବ ଟିପା ଖଣ୍ଡିକ ରାଜକୁମାରଙ୍କ ହାତକୁ ବଢ଼ାଇ ଦେଲେ । ରାଜକୁମାର ତା’ ଉପରେ ଥରେ ଆଖି ବୁଲାଇ ନେଇ ତାତ୍ସଲ୍ୟ ପ୍ରକାଶ କରି କହିଲେ—‘‘ଏଇ ମୋଟେ ଲକ୍ଷେ ଚାଳିଶି ହଜାର । ଆଚ୍ଛା, ଆପଣଙ୍କ ପାଖରେ ପଦ୍ମରାଗ ଅଛି ?’’

କିଶୋରୀଲାଲ ମ୍ଳାନ ହସି କହିଲେ—‘‘ନାଇଁ ଆଜ୍ଞା ! ସେ ଜିନିଷ ଆମ ପାଖରେ ନାହିଁ-। ତା’ପରେ ଏତେ ଟଙ୍କା ଦେଇ କିଏ ବା କାହିଁକି ନେବାକୁ ଚାହିଁବ ଯେ, ଆମେ ଯୋଗାଇବା ପାଇଁ ରଖିବୁ ।’’

ରାଜକୁମାର ଆଉ କିଛି ନ କହି ଆପଣାର ଚମଡ଼ା ବ୍ୟାଗ୍‌ ଖୋଲି ତା’ ଭିତର ସୁନାର ଡବାଟିଏ ବାହାର କଲେ । ଡବାଟି ଖୋଲି ସେଥିରୁ ମୁଦିଟିଏ ବାହାର କରି କହିଲେ—‘‘ଏଥିରେ ପଦ୍ମରାଗ ଅଛି ଦେଖନ୍ତୁ ।’’ କହି ମୁଦିଟି କିଶୋରୀଲାଲଙ୍କ ହାତକୁ ବଢ଼ାଇ ଦେଲେ ।

 

କିଶୋରୀଲାଲ ଖୁବ୍‌ ବିନୟର ସହିତ ମୁଦିଟି ନେଇ ଦେଖିଲେ । ସୁନ୍ଦର ଗଢ଼ଣ ମୁଦିଟିର । ମୁଦି ମଝିରେ ଗୋଟିଏ ପଦ୍ମଫୁଲ । ଫୁଲର କେଶରରେ ପଦ୍ମରାଗ ମଣିଟିଏ ଖଞ୍ଜା ହୋଇଛି । ମଣି ତେଜରେ ମୁଦିଟି ମଧ୍ୟ ଦାଉ ଦାଉ ଦିଶୁଛି । ଫୁଲ କେଶରରେ ଗୋଟିଏ କଡ଼କୁ ଖୁବ୍‌ ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି–‘‘ବାହାଦୂର ସିଂ ।’’

 

ମୁଦିଟି ଦେଖି କିଶୋରୀଲାଲଙ୍କର ବିସ୍ମୟର ସୀମା ରହିଲା ନାହିଁ । ସେ ଏକାବେଳକେ ତନ୍ମୟ ହୋଇ କହି ପକାଇଲେ—‘‘ଏଇଟା ଅସଲି ଚିଜ ।’’

 

ତାଙ୍କ ମୁହଁରୁ ଏତିକି ବାହାରିବା ମାତ୍ରେ ‘ଜିନିଷଟା କଅଣ’ ଏ ବିଷୟରେ ନେଇ ସମସ୍ତଙ୍କର କୌତୁହଳ ବଢ଼ି ଉଠିଲା । ସବୁ କର୍ମଚାରୀଯାକ ଆସି ସେହି ମୁଦି ଆଡ଼କୁ ଝୁଙ୍କି ପଡ଼ିଲେ । କୁମାର ସେମାନଙ୍କର ଆଗ୍ରହ ଦେଖି ମୁରୁକି ହସୁଥାନ୍ତି । ଏଣେ ଚୁରୁଟ୍‌ ସଜିଲ କରି ଲଗାଉଥାନ୍ତି ।

 

ରାତି ସାଢ଼େ ଗୋଟାଏ ହେଲାଣି ସେତେବେଳକୁ । ରାସ୍ତାଘାଟ ପୂରାପୂରି ନିର୍ଜନ । ବଜାରର ସବୁ ଦୋକାନ ପ୍ରାୟ ବନ୍ଦ ହୋଇ ଗଲାଣି । ଖାଲି ଗୋଟାଏ ଯୋଡ଼ାଏ ନିଲଠା ଦୋକାନୀ ଗରାକ ଆଶାରେ ଦୋକାନ ଖୋଲାରଖି ନିରାଶ ହୋଇ ଦୋକାନ ବନ୍ଦ କରିବାକୁ ଯାଉଛନ୍ତି ।

 

ଚୁରୁଟ୍‌ରେ ନିଆଁ ଲଗାଇଲେ ରାଜକୁମାର । ମୂଲ୍ୟବାନ ଟବାକୋର ବାସନାରେ ଦୋକାନ ମହକି ଉଠିଲା । ଏଣେ ସମସ୍ତେ ମୁଦି ଆଡ଼କୁ ଝୁଙ୍କିପଡ଼ି ଦେଖିବାରେ ବ୍ୟସ୍ତ । ରାଜକୁମାର ଭଲକରି ଦମେ ଦୁଇଦମ ଚୁରୁଟ୍‌ ଟାଣି ଧୂଆଁ ଛାଡ଼ି ଦେଲେ । ଘରଟା ସାରା ଧୂଆଁର ଗୋଟାଏ ପାତଳା ଆସ୍ତରଣ ବୁଲିଗଲା ।

 

ପ୍ରାୟ ଅଧମିନିଟକ ପରେ ରାଜକୁମାର ଖୁବ୍‌ ଚଞ୍ଚଳହୋଇ ସୋଫାରୁ ଉଠିପଡ଼ିଲେ । ସଙ୍ଗେ ସଙ୍ଗେ ତାଙ୍କର ସାଥି ଦୁଇଜଣ ମଧ୍ୟ । କିନ୍ତୁ କିଶୋରୀଲାଲ ବା ତାଙ୍କର ଆଠ ଦଶଜଣ କର୍ମଚାରୀଙ୍କର କୌଣସି ପରିବର୍ତ୍ତନ ନାହିଁ । ଯେ ଯେପରି ଅବସ୍ଥାରେ ଥିଲା, ସେ ସେହିପରି ଅବସ୍ଥାରେ ଅଛି । ସେମିତି ଜଳଜଳ କରି ଚାହିଁଛନ୍ତି ମଧ୍ୟ । ଏଣେ ଦେହରେ ସଜ୍ଞାନାହିଁ ।

 

ଏତେବେଳେ ରାଜକୁମାର ଆପଣାର ସ୍ୱରୂପ ଦେଖାଇବାକୁ ସୁଯୋଗ ପାଇଲେ । ସେ ଆଉ ତାଙ୍କର ସାଥି ଦୁହେଁ ପ୍ରାୟ ପାଞ୍ଚ ମିନିଟ ମଧ୍ୟରେ ଦୋକାନର ସୋ କେଶ୍‌ଗୁଡ଼ାକ ଶୂନ୍ୟ କରି ପକାଇଲେ । ତା’ ସଙ୍ଗେ ସଙ୍ଗେ କିଶୋରୀଲାଲଙ୍କ ପାଖରେ ରଖି ଥିବା ଥଳି ଦୁଇଟି ମଧ୍ୟ । ବେଶ୍‌ ! ଏଥର ତୃପ୍ତିର ହସଟିଏ ହସି ରାଜକୁମାର ବାହାରି ପଡ଼ିଲେ ବାହାରକୁ, ଆପଣାର ଅନୁଚରମାନଙ୍କ ସହିତ ।

 

ସଦର ଦରଜାରେ ସଶସ୍ତ୍ର ଦରଓ୍ୱାନ୍‌ ଦୁଇଜଣ ଏମାନଙ୍କ ହାତରେ ଏତେଗୁଡ଼ିଏ ବୋଝ ଦେଖି ସନ୍ଦେହ କଲେ । ଏମାନେ ଯେଉଁ ମୁହୂର୍ତ୍ତରେ ସେମାନଙ୍କୁ ଅତିକ୍ରମ କଲେ ସେ ଦୁହେଁ ସେଇ ମୁହୂର୍ତ୍ତରେ ଭିତରକୁ ଚାହିଁ ଘଟଣାଟା କ’ଣ ଜାଣିବାକୁ ଚେଷ୍ଟାକଲେ । ଦୁହେଁ ପଛକୁ ମୁହଁ ବୁଲାଇଲା ମାତ୍ରେହିଁ ଗୋଟିଏ ଗୋଟିଏ ପ୍ରଚଣ୍ଡ ମୁଷ୍ଟ୍ୟାଘାତରେ ଭୂତଳଶାୟ ହୋଇ ପଡ଼ିଗଲେ ।

 

କେତେ ସେକେଣ୍ଡ ମଧ୍ୟରେ ଆରୋହୀ ତିନିଜଣଙ୍କୁ ଧରି ଅପେକ୍ଷା କରିଥିବା ଦାମୀକା କାର୍‌ଖଣ୍ଡି ଛୁଟି ଚାଲିଲା ନିର୍ଜନ ରାଜପଥ ଉପରେ ଉଲ୍‌କା ବେଗରେ ।

Image

 

-ପାଞ୍ଚ-

 

ମି: ପାତ୍ରଙ୍କ ଅନ୍ତର୍ନିହିତ ହେବା ପ୍ରାୟ ମାସକରୁ ଅଧିକ ହେଲାଣି । ଲୋକଙ୍କ ମନରୁ ଆଶଙ୍କା ଘୁଞ୍ଚିଲାଣି । କିନ୍ତୁ ମିସେସ୍‌ ପାତ୍ର ପ୍ରତିମୁହୂର୍ତ୍ତରେ ମି: ପାତ୍ରଙ୍କର ସତ୍ତା ଯେପରି ଅନୁଭବ କରିପାରୁଛନ୍ତି । ବିଶେଷତଃ ରାତିରେ, ବାରଟା ପରେ । ଠିକ୍‌ ତାଙ୍କ ଶୋଇବା ଘର ଚାରିପାଖରେ ଯେପରି କିଏ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲୁଛି । କବାଟକୁ ଠେଲା ଠେଲି କରି ଖୋଲିବାକୁ ଚେଷ୍ଟା କରୁଛି । ଖାଲି ସେ ଏକା ନୁହନ୍ତି; ଘରର ଚାକର ପୁଝାରୀମାନେ ମଧ୍ୟ ଶୁଣିଲେଣି । ରାମଶରଣ ଥରେ ଆଖିରେ ଦେଖି ପକାଇଲାଣି ମଧ୍ୟ । ଦୈବଯୋଗକୁ ସେ ହରିନାମ ଧରି ପକାଇଲା ବୋଲି, ନ ହେଲେ ପ୍ରେତଟା ତାକୁ ଶେଷ କରି ଦେଇଥାନ୍ତା ସେଦିନ । ତ୍ରିପଣ୍ଡକଳା ଚେହେରା । ମୁଣ୍ଡ ନାହିଁ । ଗୋଡ଼ ଦୁଇଟା ଅଧବାଉଁଶେ ଲମ୍ବା । ଆଙ୍ଗୁଳିଗୁଡ଼ା ମୁନିଆଁ ମୁନିଆଁ ଓ ଲମ୍ବା । ବାହାରପଟୁ ଆବାଜ ଶୁଣି ରାମଶରଣ କବାଟ ଖୋଲି ଦେଖେ ତ, ଏଇଟା ତା’ ଆଗରେ ଠିଆ ! ସେ ଚଟାପଟ୍‌ ହରିନାମ ନ କରିଥିଲେ ପ୍ରେତ ତାକୁ ଶେଷ ନକରି କ’ଣ ଛାଡ଼ିଥାନ୍ତା ?

 

ସେ ଦିନଠୁଁ ଚାକର ପୁଝାରୀମାନେ ଭାରି ଭୟରେ ଥାଆନ୍ତି । ସନ୍ଧ୍ୟା ପରେ ଖିଆ ପିଆ କାମ ବଢ଼ାଇ ଦେଇ ଘର କବାଟ ବନ୍ଦକରି ଭିତରେ ରହନ୍ତି । ଖୁବ୍‌ ଦରକାର କିଛି ପଡ଼ିଲେ ଏକାଠି ଦୁଇ ଚାରିଜଣ ମିଳି ମିଶି ବାହାରନ୍ତି, ନହେଲେ ନାହିଁ । ମିସେସ୍‌ ପାତ୍ର ମଧ୍ୟ ତଦ୍ରୂପ । କେବଳ ରାମଶରଣ ତା’ କୋଠରୀରେ ରାତି ଦଶ ଏଗାରଟା ପର୍ଯ୍ୟନ୍ତ କବାଟ ବନ୍ଦ କରି ତୁଳସୀ ରାମାୟଣ, ନହେଲେ ରାମଚରିତମାନସ ପଢ଼େ । ଖାଲି ତା’ରି ଯୋଗୁ ସେ ଘରର ଜୀବନ ସେତେବେଳ ପର୍ଯ୍ୟନ୍ତ ଥିବାପରି ଟିକିଏ ଜଣାପଡ଼େ ଯାହା ।

 

ମିସେସ୍‌ ପାତ୍ରଙ୍କୁ ମଧ୍ୟ ରାତିରେ ଭଲ ନିଦ ହୁଏ ନାହିଁ । ଏକଡ଼ ସେକଡ଼ ହୋଇ ରାତି ପାହେ । ବାହାରେ ଖୁଡ଼୍‌ ଖାଡ଼୍‌, ଠକ୍‌ ଠାକ୍‌ ଶବ୍ଦ ସବୁ ସେ ଶୁଣି ପାରନ୍ତି । ମି: ପାତ୍ରଙ୍କ କଥା ଭାବି ଆଖିରେ ଲୁହ ଆସେ । ତାଙ୍କର ଜୀବନ କାନେ କାନେ କିଏ ଯେପରି କହିଯାଏ, ‘ମି: ପାତ୍ର ଜୀବିତ’-। ମନରେ ଆଶାର ସଞ୍ଚାର ହୁଏ । ପୁଣି ପର ମୁହୂର୍ତ୍ତରେ ଭାବନାର ଦିଗ ବଦଳେ । ସେ ନିଜର ଅନିଶ୍ଚିତ ଭବିଷ୍ୟତ କଥା ଭାବି କଡ଼ ଲେଉଟାନ୍ତି ।

 

ସେ ରାତିଟା କି ଦୁର୍ଯ୍ୟୋଗ ଭରା ଥିଲା କେଜାଣି । ସଞ୍ଜ ହେଲାବେଳୁ ପ୍ରଳୟଙ୍କରୀ ମେଘର ଘନଘଟା ଛାଇ ହୋଇ ଯାଇଥିଲା ଆକାଶଟା ସାରା । ମୂଷଳ ଧାରାରେ ଅସରା ଅସରା ବରଷାର ଧାର ଅଜାଡ଼ି ହୋଇ ପଡ଼ୁଥିଲା ବସୁଧା ଉପରେ । ବେଳେ ବେଳେ ଘଡ଼ଘଡ଼ିର ଗୁରୁ ଗମ୍ଭୀର ଗର୍ଜନ ମନରେ ଚମକ ଆଣୁଥାଏ ।

 

ସହଜେ ବର୍ଷା ପାଗ । ମାନସପୁରୀରେ ଯେ ଯୁଆଡ଼େ ଶୋଇ ଗଲେଣି ସଞ୍ଜ ବେଳୁ । ଏଣେ ଭୂତ ଭୟ । ଗୁରୁବାର ବୋଲି ରାମଶରଣର ରାମାୟଣ ପାଠ ବନ୍ଦ । ସେ ବି ଘୁଙ୍ଗୁଡ଼ି ଛାଡ଼ିଲାଣି । ମିସେସ୍‌ ପାତ୍ର ତାଙ୍କ ଶୋଇବା କୋଠରୀରେ ବତୀଟି ଲିଭାଇଦେଇ ଶୋଇଲେଣି । ନିଦ ତ ହେଉନାହିଁ, ଖାଲି ଏକଡ଼ ସେକଡ଼ ହେଉଛନ୍ତି । ନୀଳ ରଙ୍ଗର ଅଳ୍ପ ଶକ୍ତିବିଶିଷ୍ଟ ବଲବ୍‌ଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି ।

 

ରାତି କେତେ ହେବ କେଜାଣି ଘର ଭିତର କ’ଣ ଗୋଟାଏ ଶବ୍ଦ ଶୁଣି ମିସେସ୍‌ ପାତ୍ରଙ୍କ ନିଦ ଚାଉଁକରି ଭାଙ୍ଗିଗଲା । ଭୂତ ଭୟ ତାଙ୍କ ମନରେ ଏପରି ଦୃଢ଼ ଧାରଣା ଜାତ କରିଥିଲା ଯେ ସେ ନିଦରୁ ଉଠିବା ମାତ୍ରେ ଭୂତ ବୋଲି ଅନୁମାନ କରିନେଲେ । ହଠାତ୍‌ ତାଙ୍କର ଖିଆଲ ହେଲା ଯେ ସେ ଆଲୁଅ ଜଳାଇଦେଇ ଶୋଇଥିଲେ; କିନ୍ତୁ ବର୍ତ୍ତମାନ ଆଲୁଅ ଲିଭିଛି । ପରିଷ୍କାର ଭାବରେ ସେ ଶୁଣି ପାରିଲେ—ଘର ଭିତରେ କିଏ ଜଣେ ପାଦ ଚିପି ଚିପି ଚାଲ ବୁଲ କରୁଛି । ତା’ପରେ ତାଙ୍କର ଭଲକରି ମନେପଡ଼ୁଥାଏ, ସେ ଶୋଇବା ଆଗରୁ ଦରଜା ବନ୍ଦକରି ଶୋଇଥିଲେ । ଘରର ଦରଜାଟି ଖୋଲିଲା କିପରି ?

 

ଏତେ ଗୁଡ଼ାଏ କଥା ମିସେସ୍‌ ପାତ୍ର ଚିନ୍ତା କରୁଥାନ୍ତି ସତ; କିନ୍ତୁ ତାଙ୍କ ଦେହରେ ଜୀବନ ଥିଲା ପରି ଜଣାଯାଉ ନ ଥାଏ । ଭୟରେ ଏକବାରେ ଜଡ଼ସଡ଼ ହୋଇ ପଡ଼ିଥାନ୍ତି ସେ । ଏଣେ ଭୂତର ପାଦ ଚାଳନା ଘର ଭିତରେ କ୍ରମେ ସ୍ପଷ୍ଟତର ହେଉଥାଏ । ଯେମିତି ସେ କିଛି ଗୋଟାଏ ଖୋଜି ବୁଲୁଛି । ମିସେସ୍‌ ପାତ୍ର ଖୁବ୍‌ ସାହସ ସଞ୍ଚୟ କରି ବଡ଼ ପାଟିଟାଏ କରିଦେବେ ବୋଲି ଭାବିଲେ, କିନ୍ତୁ ପର ମୁହୂର୍ତ୍ତରେ ମନଟା ତାଙ୍କର ଦବି ଆସିଲା । ଭୂତ ଯଦି ଧାଇଁ ଆସି ତଣ୍ଟି ଚିପିଦିଏ, ତେବେ... ! କପାଳରେ ବୁନ୍ଦା ବୁନ୍ଦା ଝାଳ ଜଳେଇ ଉଠିଲା, ପାଗଟା ଖୁବ୍‌ ଥଣ୍ଡାଥିଲା ଯଦିଓ ।

 

ବେଳକୁବେଳ ପାଦ ଶବ୍ଦର ଗତି ବଢ଼ିଲା ପଛେ କମିଲା ନାହିଁ । ମିସେସ୍‌ ପାତ୍ର ଅନୁମାନକଲେ ତାଙ୍କ ପଲଙ୍କର ପାଦ ଆଡ଼କୁ ଥିବା ଟେବୁଲ ଉପର ଫଟୋଟାକୁ କିଏ ଯେପରି ଟଣା ଟଣି କରୁଛି । ମନରେ ତାଙ୍କର ଚମକ ଲାଗିଲା—‘ଆରେ ଗୁପ୍ତ ଧନାଗାରର ଚାବିଟା ତ ସେଇଠି; ଆଉ କ’ଣ କେହି... ?’ ମୁହୂର୍ତ୍ତକ ମଧ୍ୟରେ ସବୁ ଭୟ ତାଙ୍କର ଉଭେଇ ଗଲା । ଗୋଟାଏ ଉତ୍ତେଜନାରେ ସେ ଧଡ଼୍ କରି ଉଠି ପଡ଼ିଲେ ପଲଙ୍କ ଉପରୁ । ଗୋଟାଏ ହୋସ୍‌ରେ ଯାଇ ମୁଣ୍ଡ ପାଖ କାନ୍ଥରେ ଥିବା ସୁଇଚ୍‌ଟା ଟିପିଦେଲେ । ଘର ଭିତରେ ନୀଳ ବର୍ଣ୍ଣର ମ୍ଳାନ ଆଲୋକର ପ୍ଲାବନ ଖେଳିଗଲା । ମିସେସ୍‌ ପାତ୍ର ସେଇ ଆଲୋକରେ ଯାହା ଦେଖିଲେ, ତାଙ୍କର ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହେବାକୁ ଯାଉଥିଲା ସେ ଦୃଶ୍ୟରେ । ସେ ଦେଖିଲେ—ସମଗ୍ର ଶରୀରଟାକୁ କଳା ପୋଷାକରେ ଆବୃତ କରି କିଏ ଗୋଟାଏ ଫଟୋଟାକୁ ଦୁଇ ହାତରେ ଧରିଛି; ଆଖି ଦୁଇଟା ତା’ର ଦାଉ ଦାଉ ହୋଇ ଜଳି ଉଠୁଛି ଯେପରି । ଆଉ ଅଧିକ ଦେଖି ପାରିବାର ଧୈର୍ଯ୍ୟ ନଥିଲା ମିସେସ୍‌ ପାତ୍ରଙ୍କର । ସେ ଚିତ୍କାରଟାଏ କରି ପଡ଼ିଗଲେ ।

 

ଠିକ୍‌ ସେଇ ମୁହୂର୍ତ୍ତରେ ଫଟୋଟାକୁ ଦୁଇ ହାତରେ ଜାବୁଡ଼ି ଧରି କଳା ମୂର୍ତ୍ତିଟା ସାଇଁକରି ବାହାରିଗଲା ବାହାରକୁ ।

 

ମିସେସ୍‌ ପାତ୍ରଙ୍କର ଚିତ୍କାରରେ ଚାକର, ପୁଝାରୀ, ସମସ୍ତଙ୍କର ନିଦ ଅବଶ୍ୟ ଭାଙ୍ଗିଥିଲା; କିନ୍ତୁ ସାହସ କରି କେହି ପଦାକୁ ବାହାରୁ ନ ଥିଲେ । ମିସେସ୍‌ ପାତ୍ରଙ୍କର ଚିତ୍କାର ପରେ ଆଉ କ’ଣ ଘଟିବ, ସମସ୍ତେ ସେଇୟା ଶୁଣିବାକୁ କାନ ଡେରିଥିଲେ; କିନ୍ତୁ ପ୍ରଥମେ ଦରଓ୍ୱାନ୍‌ ରମଶରଣ ତା’ର ମୋଟା ମୂଳିଆ ଠେଙ୍ଗାଟାକୁ ଦୁମ୍‌ ଦାମ୍‌ କଚାଡ଼ି କଚାଡ଼ି ବାହାରକୁ ଆସି ବତୀ ଲଗାଇଲା । ସମସ୍ତଙ୍କୁ ଖୁବ୍‌ ଡକାଡକି କରିବାରୁ ଯେ ଯେଉଁଠି ଥିଲେ ଉଠିଆସି ତା’ ପାଖରେ ପହଞ୍ଚିଲେ । ସମସ୍ତଙ୍କୁ ସାଙ୍ଗରେ ଧରି ସେ ମିସେସ୍‌ ପାତ୍ରଙ୍କ ଶୋଇବା ଘର ଆଡ଼କୁ ଚାଲିଲା ।

 

ଶୋଇବା ଘର ଆଗରେ ପପହଞ୍ଚି ସେମାନେ ଦେଖିଲେ—ଦ୍ୱାର ଖୋଲା, ଭିତରେ ଆଲୁଅ ଜଳୁଛି । ମିସେସ୍‌ ପାତ୍ର ତଳେ ମୁହଁ ମାଡ଼ି ପଡ଼ିଛନ୍ତି । ଡରି ଡରି ରମଶରଣ ପ୍ରଥମେ ସେ ଘରକୁ ପାଦ ପକାଇ ମୁହଁ ଟିକିଏ ଗଳାଇ ଭିତରଟା ଭଲ କରି ଥରେ ଦେଖିନେଲା । ଭୂତ ନାହିଁ ବୋଲି ଯେତେବେଳେ ସେ ତା’ ମନେ ମନେ ନିଃସନ୍ଦେହ ହେଲା ସେତେବେଳେ ସେ ମିସେସ୍‌ ପାତ୍ରଙ୍କ ପାଖକୁ ଯିବାକୁ ସାହସ କଲା; ତା’ ପଛେ ପଛେ ଅନ୍ୟମାନେ ବି ।

 

ମିସେସ୍‌ ପାତ୍ରଙ୍କର କିଛି କ୍ଷତି ହୋଇ ନଥିଲା । ଖାଲି ଭୟରେ ଅଜ୍ଞାନ ହୋଇ ଯାଇଥିଲେ ଯାହା । ସମସ୍ତଙ୍କର ସେବା ଯତ୍ନରେ ସେ ଚେତା ପାଇ ଉଠିଲେ । ଆଖି ଖୋଲିବା ମାତ୍ରେ ସେ ଟେବୁଲ ଉପରେ ଥିବା ଫଟୋଆଡ଼କୁ ଚାହିଁଲେ; ସେଠାରେ ଫଟୋ ନାହିଁ । ପୁଣି ଥରେ କାତର ଚିତ୍କାର କରି ଢଳି ପଡ଼ିଲେ ସେ । ଆଉ ଉପାୟ ନ ଦେଖି ପୁଝାରୀଜଣକ ଆଉ ଜଣେ ଚାକରକୁ ସାଙ୍ଗରେ ଧରି ତାଙ୍କ ଡାକ୍ତରଙ୍କ ପାଖକୁ ଧାଇଁଲେ । ଏଣେ ରାମଶରଣ ବି ଟେଲିଫୋନ୍‌ରେ ସବୁ ଖବର ପୋଲିସ୍‌ ଷ୍ଟେସନ୍‌କୁ ଜଣାଇ ସାହାଯ୍ୟ ଆଶାରେ ଚାହିଁ ବସିଲା ।

 

X X X

 

ପ୍ରଥମେ ଚେତନା ପାଇଲେ କିଶୋରୀଲାଲ । ଠିକ୍‌ ବିଜୁଳି ମାରିଲା ପରି କେଇଘଣ୍ଟା ତଳର ଘଟିଥିବା ଘଟଣା ସବୁ ତାଙ୍କ ମନରେ ପଡ଼ିଗଲା । ଆଖି ପଲକରେ ସେ ଦୋକାନର ଶୂନ୍ୟ ସୋ’କେଶ୍‌, ଅଜ୍ଞାନ କର୍ମଚାରୀ ବୃନ୍ଦ, ଆଉ ପାଖରେ ରଖିଥିବା ଥଳି ଦୁଇଟି ଆଡ଼େ ଆଖି ବୁଲାଇ ନେଇ ପାଗଳଙ୍କ ପରି ଚିତ୍କାର କରିବାକୁ ଲାଗିଲେ । ଗୋଟାଏ ଡିଆଁରେ ସେ ରାସ୍ତା ଉପରକୁ ଧାଇଁ ଆସିଲେ । ପୁଣି ଚିତ୍କାର କରୁ କରୁ ଦୋକାନ ଭିତରକୁ ଧାଇଁ ଗଲେ । କର୍ମଚାରୀମାନଙ୍କୁ ଜଣ ଜଣ କରି ଟାଣି ଘୋଷାରି ପକାଇଲେ । ଚିତ୍କର କରୁ କରୁ ଦରଓ୍ୱାନ୍‌ ଦୁଇଜଣଙ୍କୁ ଗୋଇଠା ଉପରେ ଗୋଇଠା ମାରି ଖାଲି ବ୍ୟସ୍ତ ହୋଇ ଏଣେ ତେଣେ ଧାଇଁବାରେ ଲାଗିଲେ ।

 

କିଶୋରୀଲାଲଙ୍କ ପରେ ପରେ ତାଙ୍କ ଦୋକାନର ଗୁମାସ୍ତା, ଚାକରମାନେ ମଧ୍ୟ ଜଣ ଜଣ କରି ଉଠି ଠିଆହେଲେ । ସମସ୍ତେ ଘଟଣାଟା ବେଶ ଭଲ ଭାବରେ ହୃଦୟଙ୍ଗମ କରି ପାରୁଥିଲେ ବି ସେମାନଙ୍କର ଆଉ ଉପାୟ ନଥିଲା କିଛି; ସମସ୍ତେ ବଲ ବଲ କରି ଶୂନ୍ୟ ସୋ-କେଶ୍‌ଗୁଡ଼ିକ ଆଡ଼କୁ ଡିମା ଡିମା ଆଖି କରି ଚାହିଁଥାନ୍ତି ଯାହା ।

 

କିଶୋରୀଲାଲ ସେଇପରି ଉତ୍‌କ୍ଷିପ୍ତ ହୋଇ ଟେଲିଫୋନ୍‌ ଉଠାଇ ଧରିଲେ ପୋଲିସ୍‌ ଷ୍ଟେସନ୍‌ ଆଡ଼େ ।

 

X X X

 

ଥାନା ଇନ୍‌ଚାର୍ଯ ଅଫିସର ମି: ପଟ୍ଟନାୟକ ଠିକ୍‌ ରିସିଭର୍‌ ରଖି ସାରୁଛନ୍ତି—ଆଉ ଗୋଟାଏ କଲ୍‌ ! ପୁଣି ସେଇ ବିରକ୍ତିକର ବ୍ୟାପାର ! ଯାହାହେଉ ଫୋନ୍‌ ରିସିଭର୍‌ ଉଠାଇ କାନରେ ଲଗାଇଲେ । ଖବରଟା ଶୁଣିଲା ମାତ୍ରେ ଆଖି ଦୁଇଟା ବିଷ୍ପୋରିତ ହୋଇଉଠିଲା ତାଙ୍କର । ‘‘କ’ଣ ? ନିଉ ଜୁଏଲାରୀ ମାର୍ଟ ଲୁଟ୍‌ !’’

 

ସାଙ୍ଗେ ସାଙ୍ଗେ ବାରଣ୍ଡାକୁ ଉଠିଆସି ସତର୍କ ଘଣ୍ଟା ବଜାଇଲେ ସେ ।

 

ଅଳ୍ପ ସମୟ ମଧ୍ୟରେ ଦୁଇଖଣ୍ଡି ପୋଲିସ୍‌ ଲରୀରେ କେତେଜଣ ସଶସ୍ତ୍ର ପୋଲିସ୍‌ ବାହାରି ଗଲେ ଦୂର ଦିଗକୁ । ଖଣ୍ଡିଏ ମାନସପୁରୀ, ଆଉ ଖଣ୍ଡିଏ ନିଉ ଜୁଏଲାରୀ ମାର୍ଟ ଅଭିମୁଖେ, ଗଭୀର ରାତ୍ରିର ନିସ୍ତବ୍ଧତା ଭେଦ କରି ।

Image

 

-ଛଅ-

 

ସକାଳ ଆଠଟା ।

 

ପୋଲିସ୍‌ ଷ୍ଟେସନରେ ବସି ଗତ ରାତିର ସମସ୍ତ ଘଟଣା ମନୋଯୋଗ ପୂର୍ବକ ଶୁଣୁଥିଲେ ମି: ଚୌଧୁରୀ । ମି: ପଟ୍ଟନାୟକଙ୍କ କଥା ଶେଷରେ ମି: ଚୌଧୁରୀ ପଚାରିଲେ, ‘‘ଆଚ୍ଛା, କିଶୋରୀଲାଲ ଦେବୀଗଡ଼ ରାଜକୁମାର ଓ ତାଙ୍କର ସାଥୀମାନଙ୍କର ଯେପରି ରୂପ ବର୍ଣ୍ଣନା କରିଛନ୍ତି, ସେଥିରୁ ଆପଣଙ୍କର କ’ଣ ମନେ ହୁଏ ?’’

 

ମି: ପଟ୍ଟନାୟକ କହିଲେ, ‘‘ମୁଁ ସେମିତି କିଛି ମନେ କରି ପାରୁନାହିଁ । ସେ ବିଷୟରେ ତେବେ ଏଟା ନିଶ୍ଚିତ ଯେ ଏହା କୌଣସି ଶକ୍ତିଶାଳୀ ଦସ୍ୟୁର କାମ, ସନ୍ଦେହ ନାହିଁ ।’’

 

‘‘ଆଚ୍ଛା, ଆପଣ ଆଉ କିଛି ସନ୍ଧାନ କେଉଁଠୁ ପାଇଥିଲେ; ମାନସପୁରୀ ବା ଆଉ ଜୁଏଲାରୀମାର୍ଟରୁ ?’’ ଆଖିପତା ଟେକି ପଚାରିଲେ ମି: ଚୌଧୁରୀ ।

 

ମି: ପଟ୍ଟନାୟକ କହିଲେ, ‘‘ମାନସପୁରୀରୁ କିଛି ପାଇନାହିଁ ବା ମିସେସ୍‌ ପାତ୍ର ଯେ କାହାରିକୁ ସନ୍ଦେହ କରନ୍ତି, ଏମିତି ସୁଦ୍ଧା ପ୍ରକାଶ କରି ନାହାନ୍ତି । କେବଳ ନିଉ ଜୁଏଲାରୀ ମାର୍ଟରୁ ଖଣ୍ଡିଏ ରୁମାଲ ମିଳିଛି ।’’

 

‘ଦେଖେଁ’ କହି ମି: ଚୌଧୁରୀ ହାତ ବଢ଼ାଇ ଦେଲେ ମି: ପଟ୍ଟନାୟକଙ୍କ ଆଡ଼େ ।

 

ମି: ପଟ୍ଟନାୟକ ଟେବୁଲ ଡ୍ରାୟାର ଭିତରୁ ଖଣ୍ଡିଏ ରୁମାଲ ବାହାର କରି ଟେବୁଲ ଉପରେ ଥୋଇ ଦେଲେ । ମି: ଚୌଧୁରୀ ସେଖଣ୍ଡି ଉଠାଇ ନେଇ ଉପରକୁ ଟେକି ଦେଖିଲେ, ତା’ର ଗୋଟିଏ କୋଣକୁ ରଙ୍ଗୀନ୍‌ ସୂତାରେ ଛୋଟ ଗୋଲାପ ଫୁଲଟିଏ ଅଙ୍କା ହୋଇଛି । ଫୁଲର ଠିକ୍‌ ତଳକୁ ଇଂରାଜୀରେ ଗୋଟିଏ ଅକ୍ଷର ଲେଖା ଯାଇଛି ‘ଏ’ । ଏଇ ନାମସୂଚକ ଅକ୍ଷରଟି ଦ୍ୱାରା ମି: ଚୌଧୁରୀ ବିଶେଷ କିଛି ପାଇବାକୁ ଆଶା କରି ନ ଥିଲେ । କାରଣ ‘ଏ’ ଅକ୍ଷରରେ ଅନେକ ନାମ ବାହାରି ପାରେ; କିନ୍ତୁ ତାଙ୍କୁ ବେଶୀ ଆକୃଷ୍ଟ କଲା ରୁମାଲରୁ ବାହାରୁଥିବା ଉତ୍କଟ ଗନ୍ଧ । କ’ଣ ହୋଇପାରେ ଗନ୍ଧଟା ? ବିଡ଼ି, ସିଗାରେଟ୍‌, ଚୂରୁଟ, ମଦ, କୋକେନ୍‌...ଠିକ୍‌ ଠିକ୍‌ ଏହା ପରିଷ୍କାର କୋକେନର ଗନ୍ଧ । ଖୁବ୍‌ ଦାମୀ କୋକେନର ନିଶ୍ଚୟ-। ତେବେ ଆତତାୟୀ କ’ଣ କୋକେନ ଭକ୍ତ-? ସମୟରେ ରୁମାଲଖଣ୍ଡି କାମରେ ଆସିପାରେ ଭାବି ସେ ଖଣ୍ଡିକୁ ସେ ଖୁବ୍‌ ଯତ୍ନରେ କାଗଜରେ ଗୁଡ଼ାଇ ରଖିଲେ ।

ରୁମାଲଟା ଯେ କ’ଣ ଏମିତି ପ୍ରୟୋଜନୀୟ ତଥ୍ୟ ଯୋଗାଇ ପାରିବ ମି: ଚୌଧୁରୀଙ୍କୁ, ସେ କଥା ନେଇ ଚିନ୍ତା କରୁଥିଲେ ମି: ପଟ୍ଟନାୟକ । ବର୍ତ୍ତମାନ ରୁମାଲ ଖଣ୍ଡିକୁ ଯତ୍ନରେ ସାଇତିବା ଦେଖି ସେ ହସି ହସି ଥଟ୍ଟାକରି କହିଲେ, ‘‘କଣ ତାକୁ ଧରା ହେଲା ?’’

ମି: ଚୌଧୁରୀ ପରିହାସଟା ବେଶ୍‌ ବୁଝିପାରିଲେ । ସେ ବି ହସୁ ହସୁ ଉତ୍ତର ଦେଲେ, ‘‘ନ ହେଲେ ତା’ ରୁମାଲଟା ତ ଧରା ପଡ଼ିଛି !’’

ଏ ଉତ୍ତରରେ ମି: ପଟ୍ଟନାୟକ ହସରେ ଫାଟି ପଡ଼ିଲେ ଯେମିତି । ସେହିପରି ହସୁ ହସୁ ସେ କହିଲେ, ‘‘ରୁମାଲଟି ଡକାୟତର ନ ହୋଇ ନିଉଜୁଏଲାରୀ ମାର୍ଟର କୌଣସି କର୍ମଚାରୀର ହୋଇପାରେ । ଆପଣ ଭୁଲ କରୁ ନାହାନ୍ତି ତ ?’’

 

ଏ ପ୍ରକାର ମନ୍ତବ୍ୟରେ ମି: ଚୌଧୁରୀ ଟିକିଏ କ୍ଷୁଣ୍ଣ ହେଲେ ଯେମିତି । ସ୍ୱରରେ ଟିକେ କଠିନତା ଦେଖାଇ ସେ କହିଲେ, ‘‘ଆପଣଙ୍କର ବୁଝିବା ଉଚିତ ଯେ, ଏଭଳି ଦାମୀ କୋକେନ୍‌ ଖାଉଥିବା ଲୋକ କେବେ ହେଲେ କର୍ମଚାରୀ ହୋଇ ନ ପାରେ । ତା’ ହାତକୁ ଅନ୍ତତଃ ମାସରେ ଦଶ ତିରିଶ ହଜାର ଟଙ୍କା ଆସୁଥିବା ଦରକାର, ବୁଝିଲେ ?’’

 

ମି: ଚୌଧୁରୀଙ୍କର ତୀକ୍ଷ୍‌ଣ ଅନୁମାନ ଶକ୍ତି ନିକଟରେ ପରାସ୍ତ ହୋଇ ମି: ପଟ୍ଟନାୟକ ନୀରବ ରହିଲେ । ମି: ଚୌଧୁରୀ ଆସନ ଛାଡ଼ି ବାହାରକୁ ଆସିଲେ ।

 

X X X

 

ମାସକ ଭିତରେ ତିନୋଟି ଘଟଣା—ମି: ପାତ୍ରଙ୍କର ଆକସ୍ମିକ ଅନ୍ତର୍ଦ୍ଧାନ, ନିଉ ଜୁଏଲାରୀ ମାର୍ଟ ଲୁଟ୍‌ତରାଜ, ମାନସପୁରୀରେ ଭୂତ ଉପଦ୍ରବ, ଜନ ସାଧାରଣଙ୍କ ମନରେ ଘୋର ଆତଙ୍କ ସୃଷ୍ଟି କରିଥିଲା । ଖବରକାଗଜ ଗୁଡ଼ିକରେ ନିତି ନିତି ନୂଆ ନୂଆ ଭାଷାରେ ତୀବ୍ର ସମାଲୋଚନା ତୁଙ୍ଗ ପୋଲିସ ଅଫିସରମାନଙ୍କ ଦୃଷ୍ଟି ଯେ ଆକର୍ଷଣ କରିଥିଲା, ସନ୍ଦେହ ନାହିଁ । ଉପରୁ ଘନ ଘନ ତାଗଦା ସତ୍ତ୍ୱେବି ନିମ୍ନସ୍ଥ କର୍ମଚାରୀମାନେ ଏହାର କିଛି ଗୋଟାଏ କିନାରା କରିବାକୁ ସମର୍ଥ ହୋଇ ନଥିଲେ । ଶେଷକୁ ମି: ଚୌଧୁରୀଙ୍କ ଉପରେ ସବୁ ଦାୟିତ୍ୱ ଲଦିଦେଇ ସମସ୍ତେ ନିଶ୍ଚିନ୍ତ । ସେ ମଧ୍ୟ ସାଧ୍ୟ ଅନୁସାରେ ଦସ୍ୟୁ ଦଳର ମୂଳୋତ୍ପାଟନ ପାଇଁ ଯତ୍ନବାନ୍‌ ହୋଇ ରହିଛନ୍ତି । ସେଥିପାଇଁ ସେ ପୂର୍ବରୁ ନିଜକୁ ମଧ୍ୟ ପ୍ରସ୍ତୁତ କରି ରଖିଥିଲେ; ଖାଲି ବିଭାଗୀୟ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ ଯାହା । ଏବେ ନିର୍ଦ୍ଦେଶ ପାଇ ତାଙ୍କ ତଦନ୍ତ ଆରମ୍ଭ କରିଦେଲେ ।

 

ସେଦିନ ଠିକ୍‌ ସନ୍ଧ୍ୟା ପରେ ସେ ଯାଇ ମାନସପୁରୀରେ ପହଞ୍ଚି ଦେଖିଲେ—ସବୁ ଶୂନ୍‌ ଶାନ୍‌ । ନୀରବରେ ଥରେ ପ୍ରାସାଦର ଚାରି ଆଡ଼କୁ ଭଲକରି ଆଖି ପକାଇ ଦେଖିନେଲେ । ତା’ପରେ ସଦର ରାସ୍ତା ଦେଇ ଦ୍ୱାର ଆଡ଼କୁ ମୁହାଁଇଲେ । ଠିକ୍‌ ଏତିକିବେଳେ ସଦର ଦରଜା ଦେଇ ଘର ଭିତରୁ ଏକ ଦୀର୍ଘାକୃତ ମନୁଷ୍ୟମୂର୍ତ୍ତି ବାହାରି ଆସିଲା । ଅନ୍ଧାରରେ ଅବଶ୍ୟ ଚେହେରା ବାରି ହେଉ ନଥିଲା । ତଥାପି ମନୁଷ୍ୟଟି ଯେ ବଳିଷ୍ଠ ଆଉ ଦୀର୍ଘକାୟ, ଏକଥା ତା’ଛାୟାରୁ ସ୍ପଷ୍ଟ ଜାଣି ହେଉଥିଲା । ଲୋକଟି ବିଷୟରେ ମି: ଚୌଧୁରୀଙ୍କର ବିଶେଷ କିଛି ଚିନ୍ତା କରିବାର ନଥିଲା; କାରଣ ସେ ଭାବୁଥିଲେ ଯେ ଲୋକଟି ମି: ପାତ୍ରଙ୍କର ଚାକର । ପୁଝାରୀଙ୍କ ମଧ୍ୟରୁ ହୁଏତ ଜଣେ କେହି ହୋଇପାରେ । କିନ୍ତୁ ଅତି ଦ୍ରୂତ ପଦରେ ସେ ଯେତେବେଳେ ତାଙ୍କୁ ଅତିକ୍ରମ କରି ଚାଲିଗଲା, ତା’ର ଠିକ୍‌ ପର ମୁହୂର୍ତ୍ତରେ ସେ ଚମକି ପଡ଼ିଲେ । ‘‘ଏ କ’ଣ ? ଏ ତ ପରିଷ୍କାର ସେହି କୋକେନ୍‌ ଗନ୍ଧ, ଯେଉଁ ଗନ୍ଧ ସେ ନିଉ ଜୁଏଲାରୀ ମାର୍ଟରୁ ମିଳିଥିବା ରୁମାଲରୁ ଆବିଷ୍କାର କରିଥିଲେ ! କିଏ ଏ ଲୋକ ? ତା’ର ବା ମାନସପୁରୀ ସହିତ ସମ୍ପର୍କ କ’ଣ ? ଏ ଚିନ୍ତା ସୁଚତୁର ଡିଟେକ୍‌ଟିଭ୍‌ ମି: ଚୌଧୁରୀଙ୍କ ମନର ଆସନ ଅଧିକାର କଲାମାତ୍ରେ ସେ ନିଜର ସହକାରୀ ଶରତ୍‌ ଦେହରେ ଆଙ୍ଗୁଳି ଟିପ ମାରିଦେଲେ । ଶରତ୍‌ ଇଙ୍ଗିତ ବେଶ୍‌ ବୁଝି ପାରିଲେ । ସେ ଚଟ୍‌ କରି ସେଇଠୁ ଫେରି ପଡ଼ିଲେ । ଲୋକଟି ବେଶୀଦୂର ଯାଇ ନଥିବ ସେତେବେଳକୁ ବୋଧହୁଏ ।

 

ସଦର ଦରଜା ପାଖରେ ପହଞ୍ଚି ମି: ଚୌଧୁରୀ ଦେଖିଲେ ଘରଟା ପୂରା ଅନ୍ଧାର । ସେ ଅନୁଭବ କଲେ ଯେପରି ତାଙ୍କ ଆସିବା ସଙ୍ଗେ ସଙ୍ଗେ କିଏ ସେ ଦୁଆର ପାଖରୁ ଘର ଭିତର ଆଡ଼କୁ ସେଇ ଅନ୍ଧାରରେ ଚାଲିଗଲା । ଆରମ୍ଭରୁ ସନ୍ଦେହ ଉଙ୍କିମାରିଥିଲା ତାଙ୍କ ମନରେ; ବର୍ତ୍ତମାନ ତାହା ଆଉ ଟିକିଏ ବଳବତ୍ତର ହୋଇ ଉଠିଲା, ମି: ଚୌଧୁରୀଙ୍କ ମନରେ ।

 

ଯାହାହେଉ ବାହାର ପାଖରେ କେହି ନ ଥିବାର ଦେଖି, ସେ କବାଟର କଡ଼ା ଠକ୍‌ ଠକ୍‌ କରି କିଛି ସମୟ ଅପେକ୍ଷା କଲେ । କିଛି ସମୟ ପରେ ଦାଣ୍ଡ ବଖରାରେ ଇଲେକ୍‌ଟ୍ରିକ୍‌ ବଲ ଫଟ୍‌ କରି ଜଳି ଉଠିବା ସଙ୍ଗେ ସଙ୍ଗେ ଭିତରୁ ମୋଟା ଗଳାରେ ଆବାଜ ଆସିଲା–କିଏ ?

 

ମି: ଚୌଧୁରୀ କିଛି ଗୋଟାଏ ଉତ୍ତର ଦେବା ପୂର୍ବରୁ ଲୋକଟି ଆସି ପାଖରେ ପହଞ୍ଚି ଯାଇଥିଲା । ସେ ଦେଖିଲେ–ପ୍ରଶ୍ନକର୍ତ୍ତା ବେଶ୍‌ ମୋଟା ସୋଟା ବଳବାନ୍ ଲୋକଟିଏ । ଅନୁମାନ କଲେ—ଘରର ଦରଓ୍ୱାନ ହେବ ବୋଧହୁଏ । ଯାହାହେଉ, ଲୋକଟି ମଧ୍ୟ ମି: ଚୌଧୁରୀଙ୍କୁ ଦେଖି ଟିକିଏ ଶଙ୍କି ପଡ଼ିଲା ପରି ହୋଇଗଲା । ତା’ର ଭାବ ଲକ୍ଷ୍ୟକରି ମି: ଚୌଧୁରୀ କହିଲେ–‘‘ମିସେସ୍‌ ପାତ୍ରଙ୍କୁ ଖବର ଦିଅ । ମୁଁ ଦେଖା କରିବାକୁ ଚାହେ ।’’

 

ଲୋକଟି ବିନା ବାକ୍ୟ ବ୍ୟୟରେ ପୁଣି ଭିତରକୁ ଚାଲିଗଲା । ମି: ଚୌଧୁରୀ ସେଇଠି ଠିଆହୋଇ ବାହାରଟାକୁ ଥରେ ଭଲ କରି ଲକ୍ଷ୍ୟ କରି ନେଇ ମନେ ମନେ ଭାବିଲେ, ଶରତ୍‌ ବୋଧହୁଏ ଲୋକଟାର ଠିକ୍‌ ପିଛା ଧରି ପାରିଥିବ । ଏତିକିବେଳେ ଲୋକଟି ପୁଣି ଫେରିଆସି ମି: ଚୌଧୁରୀଙ୍କୁ କହିଲା, ‘‘ଆପଣଙ୍କୁ ମିସେସ୍‌ ତାଙ୍କ ଡ୍ରଇଂରୁମ୍‌ରେ ଅପେକ୍ଷା କରିଛନ୍ତି ।’’ ମି: ଚୌଧୁରୀ ଲୋକଟିର ପଛେ ପଛେ ଭିତରକୁ ଚାଲିଲେ । ଯିବା ସଙ୍ଗେ ସଙ୍ଗେ ସେ ଘରର ଭିତରଟାକୁ ଖୁବ୍‌ ଭଲ କରି ଲକ୍ଷ୍ୟ କରି ନେଉଥାନ୍ତି ମଧ୍ୟ । ଲୋକଟି ତାଙ୍କ ଆଗେ ଆଗେ ଚାଲିଥାଏ ।

 

ଦୀର୍ଘ ଓ ପ୍ରଶସ୍ତ ବାରଣ୍ଡା ଦେଇ କେତୋଟି କୋଠରୀ ଅତିକ୍ରମ କଲାପରେ ମିସେସ୍‌ ପାତ୍ରଙ୍କର ଡ୍ରଇଂ ରୁମ୍‌ ନିକଟରେ ସେମାନେ ପହଞ୍ଚି ସାରିଥିଲେ । ମି: ଚୌଧୁରୀଙ୍କୁ ଘର ଭିତରକୁ ବାଟ ଦେଖାଇ ଦେଇ ଲୋକଟି ଅପେକ୍ଷା କରି ରହିଲା ବାହାରେ ।

 

‘ନମସ୍କାର’ ! ନାରୀକଣ୍ଠର କୋମଳ ଅଭିବାଦନ ଶୁଣି ଭିତରକୁ ଚାହିଁ ଦେଖିଲେ ମି: ଚୌଧୁରୀ । ଘର ଭିତରେ ଗୋଟିଏ ଚୌକୀ ଉପରେ ଆସୀନା ଶୁଭ୍ରବସନ-ପରିହିତା, ସୁନ୍ଦରୀ, ଗୌରବର୍ଣ୍ଣା ଯୁବତୀ । ସେ ନିଶ୍ଚୟ ମିସେସ୍‌ ପାତ୍ର ଏ ଧାରଣା ନେଇ ସେ ପ୍ରତିନମସ୍କାର ଜଣାଇ ଭିତରକୁ ଗଲେ । ମିସେସ୍‌ ପାତ୍ରଙ୍କର ଅନୁରୋଧକ୍ରମେ ଖଣ୍ଡିଏ ଆସନ ଗ୍ରହଣ କରି ସେ ଘରର ଦୁର୍ମୁଲ୍ୟ ସାଜସଜ୍ଜା ଉପରେ ଥରେ ଆଖି ବୁଲାଇ ନେଲେ । ତା’ପରେ ଆପଣାର ପରିଚୟ ଦେବାକୁ ଯାଇ କହିଲେ, ‘‘ମୁଁ ଜଣେ ପୋଲିସ କର୍ମଚାରୀ । ଆପଣଙ୍କୁ କୌଣସି ପ୍ରକାରେ କିଛି ସାହାଯ୍ୟ କରିବା ପାଇଁ କମିଶନର ସାହେବ ମୋତେ ପଠାଇଛନ୍ତି । କହନ୍ତୁ, ମୁଁ କି ଭାବରେ ଆପଣଙ୍କ କାମରେ ଲାଗିପାରେ ।’’

 

ହତାଶିଆ ହସ ଟିକିଏ ହସି ମିସେସ୍‌ ପାତ୍ର କହିଲେ—‘‘ମାନ୍ୟବର କମିଶନରଙ୍କୁ ମୋର ଅଶେଷ ଧନ୍ୟବାଦ । ବର୍ତ୍ତମାନ ଆଉ କି ସାହାଯ୍ୟ ମୁଁ ଆଶା କରିପାରେ ? ମାସକ ତଳେ ପ୍ରାଣର ସ୍ୱାମୀ ଗଲେ । ତିନିଲକ୍ଷ ଟଙ୍କାର ସୁନା ଗଲା । ତା’ପରେ ସବୁଦିନେ ପ୍ରେତର ବିଭୀଷିକା । ଅବଶିଷ୍ଟ ଯାହା କିଛି ଅଛି ସେ ବି ଯିବାକୁ ବସିଛି... ।’’

 

‘‘ତଥାପି ଆପଣ ଆଶା ରଖିବା ଉଚିତ । ଏପରି ହତାଶ ହୋଇ ପଡ଼ିଲେ....’’ କହୁ କହୁ ଅଟକିଗଲେ ମି: ଚୌଧୁରୀ ।

 

‘‘ଆଶା ? କି ଆଶା ରଖିବି ଆଜ୍ଞା ! ଖାଲି ଆଶା ରହିଲା ଆରପୁରକୁ ଯିବାରେ । ଏଇ ରାମଶରଣ ଆଉ ଅବନୀବାବୁ ବିଚାରା ଖୁବ୍‌ ସାହାଯ୍ୟ କରୁଛନ୍ତି ।’’ କହିଲେ ମିସେସ୍‌ ପାତ୍ର ।

 

ମି: ଚୌଧୁରୀ ଏତେବେଳେ ଜାଣିଲେ ଯେ ତାଙ୍କୁ ବାଟ କଢ଼ାଇ ଆଣିଥିବା ଲୋକଟି ରାମଶରଣ; ଆଉ ଅବନୀବାବୁ ବୋଲି ଜଣେ ଅତି ଆତ୍ମୀୟ ଲୋକ ୟାଙ୍କର ବୋଧହୁଏ କେହି ଅଛି-। ଅବଶ୍ୟ ଦରଓ୍ୱାନ୍‌ ରାମଶରଣ କଥା ସେ ମି: ପଟ୍ଟନାୟକଙ୍କ ରିପୋର୍ଟରୁ ଜାଣିଥିଲେ, କିନ୍ତୁ ଚେହେରା ଦେଖି ନଥିଲେ । ସେ କଥାଟାକୁ ଖୁବ୍‌ ହାଲୁକା ଭାବରେ ଗ୍ରହଣ କରିଥିବା ଦେଖାଇବାକୁ ଯାଇ କହିଲେ—‘‘ଅବନୀବାବୁ କିଏ ?’’

 

ମିସେସ୍‌ ପାତ୍ର କହିଲେ—‘‘ସେ ଆମ ଜୁଏଲାରୀ କାରଖାନା ଶିଳ୍ପପୁରୀର ମ୍ୟାନେଜର । ଏଇ ଆପଣଙ୍କ ଆସିବାର ପୂର୍ବ ମୁହୂର୍ତ୍ତରେ ତ ଗଲେ !’’

 

କଥାଟା ଶୁଣି ଚମକି ପଡ଼ିଲେ ଯେପରି ମି: ଚୌଧୁରୀ । ଘଟଣାର ଖିଅ ଗୁଡ଼ାକ ଆହୁରି ଛନ୍ଦି ହୋଇ ଯାଉଥିଲା ତାଙ୍କ ଆଖି ଆଗରେ ।

 

ମନର ଭାବ ଯଥାସମ୍ଭବ ଗୋପନ ରଖି ସେ ପଚାରିଲେ—‘‘ଆଚ୍ଛା, ମିସେସ୍‌ ! ଶୁଣିଲି, ଆପଣଙ୍କର ଏଠି ଭୂତର ଉପଦ୍ରବ ହେଉଛି । ଆପଣ କ’ଣ ଭୂତ ନିଜେ ଦେଖିଛନ୍ତି ?’’

 

‘‘ମୁଁ ଦେଖିଛି ହଜୁର !’’ ଦ୍ୱାର ପାଖରୁ ଥାଇ ରାମଶରଣ ଉତ୍ତର ଦେଲା, ମିସେସ୍‌ ପାତ୍ର କିଛି ନ କହୁଣୁ । ତା’ପରେ ଚାଲିଲା ଭୂତର ରୂପ ବର୍ଣ୍ଣନା, ଗତି-ବିଧି । ରାମଶରଣ କଥାରେ ମି: ଚୌଧୁରୀଙ୍କ ପେଟ ମନ୍ଥି ହସର ଲହରି ଉଠି ଆସୁଥିଲା ଯଦିଓ, ତଥାପି ସେଭାବକୁ ଗୋପନ ରଖି ସେ କହିଲେ । ‘‘ଠିକ୍‌, ଠିକ୍‌ ! ଏ ତ ରୀତିମତ ଭୂତର କାଣ୍ଡ ! ଆପଣ ତା’ର କିଛି ଗୋଟାଏ ବ୍ୟବସ୍ଥା... ।’’

 

‘‘ତା’ତ ଅବନୀବାବୁ କରିଛନ୍ତି । ଅମାବାସ୍ୟା ଦିନ ଗୁଣିଆ ଅଣାଇ ଭୂତଟାକୁ କଢ଼ାଇ ନେବେ ବୋଲି ଆଜି କହି ଯାଇଛନ୍ତି । ଦେଖାଯାଉ, ଅମାବାସ୍ୟା ତ ଆଠଦିନ ଅଛି; ଏ ଆଠ ଦିନ ଆଗ ନିରାପଦରେ କଟୁ ।’’ କହିଲେ ମିସେସ୍‌ ପାତ୍ର ।

 

‘‘ବେଶ୍‌ ! ଭଲ ବ୍ୟବସ୍ଥା କରିଛନ୍ତି ଆପଣ । ତେବେ କାଲି କ’ଣ ଗୋଟାଏ ଚୋରୀ ହୋଇଛି ଏଠାରେ ଶୁଣିଲି ।’’ ପୁଣି ପ୍ରଶ୍ନ କଲେ ମି: ଚୌଧୁରୀ ।

 

ଏ ପ୍ରଶ୍ନରେ ମିସେସ୍‌ ପାତ୍ରଙ୍କ ଉପରେ ବଜ୍ର ପଡ଼ିଗଲା ଯେମିତି । ସେ ଚମକିପଡ଼ି କହିଲେ, ‘‘ଏଁ, ଚୋରୀ ! କାଲି ରାତିରେ ? କିଏ କହିଲା ଆପଣଙ୍କୁ ? ମିଛ, ମିଛ; ଆପଣ ସେଥିରୁ କିଛି ପାଇବେ ନାହିଁ । ଏବେ ଆପଣ ବିଦାୟ ନେଇ ପାରନ୍ତି ।’’ କହି ଭୁଷ୍‌ କରି ସେଠାରୁ ଉଠିଗଲେ ମିସେସ୍‌ ପାତ୍ର ତାଙ୍କ ଶୟନ କକ୍ଷକୁ ।

 

ମି: ଚୌଧୁରୀ ଅବାକ୍‌ ହୋଇ ଚାହିଁ ରହିଥିଲେ ମିସେସ୍‌ ପାତ୍ରଙ୍କ ଗଲା ବାଟକୁ । ତାଙ୍କର ଭାବ ଭଙ୍ଗି ବଡ଼ ବିଚିତ୍ର ବୋଧ ହେଉଥିଲା ତାଙ୍କୁ । ଅଗତ୍ୟା ଆସନ ଛାଡ଼ି ଉଠିଲେ ସେ ।

 

‘‘ମିସେସ୍‌ଙ୍କ ମିଜାଜ୍‌ ଠିକ୍‌ ନାହିଁ ହଜୁର୍‌ ! ସେ ପ୍ରାୟ ଏଇମିତି ହେଉଛନ୍ତି ଆଜିକାଲି ।’’ ଦ୍ୱାର ଆଗରେ ଠିଆ ହୋଇ କହିଲା ରାମଶରଣ ।

 

ମି: ଚୌଧୁରୀ ସିଧା ସିଧା ଫେରିଲେ ବାହାରକୁ । ପଛେ ପଛେ ତାଙ୍କର ରାମଶରଣ ଆସୁଥାଏ । ସଦର ଦରଜା ପାଖରେ ପହଞ୍ଚି ମି: ଚୌଧୁରୀ ପଚାରିଲେ, ‘‘ଆଚ୍ଛା, ରାମଶରଣ ! କାଲି କ’ଣ ଚୋରୀ ହୋଇଥିଲା ଏଠି, ତୁମେ ତ ଜାଣିଥିବ ?’’

 

ରାମଶରଣ ଉତ୍ସାହିତ ହୋଇ କହିଲା—‘‘ଏଇ ମାମୁଲି ଫଟୋଟାଏ ହଜୁର ! ସେ ସେଇ ଭୂତର କାଣ୍ଡ ।’’

 

‘‘ତୁମର ଅନୁମାନ ଠିକ୍‌ ! ତେବେ ତୁମେ ମିସେସ୍‌ଙ୍କୁ କହିଦେବ ଚୋର ଧରିବା ଆମର କାମ, ଭୂତ ଧରିବା ନୁହେ । ଚୋର ହାତରୁ ସିନା ଆମେ ତାଙ୍କୁ ରକ୍ଷା କରିବୁ; କିନ୍ତୁ ଭୂତ ହାତରୁ ନୁହେଁ । ଭୂତ ପାଇଁ ଅବନୀବାବୁ ଯେ ଗୁଣିଆଁ ବ୍ୟବସ୍ଥା କରୁଛନ୍ତି, ସେଟା ଖୁବ୍‌ ଭଲ । ତା’ପରେ ମିସେସ୍‌ଙ୍କୁ ଜଗି ରଖି ସାବଧାନରେ ଚଳୁଥିବ । ତୁମେ ତ ଜାଣିବା ଲୋକ ଅଛ !’’ କହିଲେ ମି: ଚୌଧୁରୀ ।

 

‘‘ହଜୁର, ହଜୁର’’ ! ମୁରୁକି ହସି ମୁଣ୍ଡ ହଲାଉ ହଲାଉ କହିଲା ରାମଶରଣ ।

Image

 

-ସାତ-

 

ମି: ଚୌଧୁରୀ ନିଜ ବାସଭବନରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ନଅଟା । ତାଙ୍କର ପ୍ରିୟ ସହକାରୀ ଶରତ୍‌ ଫେରି ନଥାଏ ସେତେବେଳଯାଏ । ଅବଶ୍ୟ ଟିକିଏ ଚିନ୍ତିତ ହୋଇ ପଡ଼ିଲେ ସେ ଏଥିରେ । ତଥାପି ତାଙ୍କର ବିଶ୍ୱାସ ଶରତ୍‌ ଦାୟିତ୍ୱବାନ, କର୍ମଠ, ବଳବାନ୍‌ ଓ କୌଶଳୀ; ବିପଦରୁ ଖସି ଆସିବା ପାଇଁ ସେ ସମର୍ଥ । ଆସୁ କେତେବେଳେ ଆସୁଛି !

 

ପୁଝାରୀ ଇତି ମଧ୍ୟରେ ଖାଇବା ପାଇଁ ଦୁଇ ଥର ପଚାରି ଗଲାଣି; କିନ୍ତୁ ଶରତ୍‌ ଆସିନାହିଁ । ମି: ଚୌଧୁରୀ ତାଙ୍କୁ ହିଁ ଅପେକ୍ଷା କରି ବସିଛନ୍ତି—ନ ଖାଇ । ମିସେସ୍‌ ପାତ୍ରଙ୍କ ବିଚିତ୍ର ଭାବଭଙ୍ଗି ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା ତାଙ୍କ ମନରେ । କ’ଣ ଅଛି ଏମିତି ସେ ଫଟୋଟାରେ । ଚୋରୀ ବିଷୟ ଗୋପନରଖି ମିସେସ୍‌ ପାତ୍ର ଏମିତି କ୍ଷିପ୍ତ ହୋଇ ଉଠିଲେ କାହିଁକି-? ନାନା ପ୍ରକାର ସନ୍ଦେହ ଉଙ୍କି ମାରୁଥିଲା ତାଙ୍କ ମନରେ । ତଥାପି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନଥିଲେ ସେ ।

 

ଏଣେ ଶରତ୍‌ ଲୋକଟିର ପିଛା ନେଇ ଚାଲିଲେ । ସହରର ଗହଳି ରାସ୍ତା ଛାଡ଼ି ଲୋକଟି ନିରୋଳା ରାସ୍ତା ଧରିଲା । ଏପରି ରାସ୍ତାରେ ଜଣକୁ ଜଣେ ସନ୍ଧାନ କରିବା ଅବଶ୍ୟ କଷ୍ଟ-। ଧରାପଡ଼ିଯିବାର ସମ୍ଭାବନା ପ୍ରତି ମୁହୂର୍ତ୍ତରେ ଅଛି । ତଥାପି ମି: ଚୌଧୁରୀଙ୍କ ଚାଟ ସେଥିରେ ହଟିଯିବାର ପାତ୍ର ନୁହନ୍ତି । ଯଥେଷ୍ଟ ବ୍ୟବଧାନ ଆଉ ସତର୍କ ଦୃଷ୍ଟି ରଖି ସେ ଠିକ୍‌ ପିଛାନେଇ ବେଶ୍‌ ମାଇଲିଏ ଖଣ୍ଡେ ଅତିକ୍ରମ କରିଗଲେ ।

 

ଏଣିକି ରାସ୍ତା ନିର୍ଜନ । ସହରର କୋଳାହଳ କାହିଁ କେତେ ଦୂରରେ । ଖଣ୍ଡେ ଦୂରରେ ନିଘଞ୍ଚ ବନାନୀର ଅସ୍ପଷ୍ଟ ଛାୟା ଦିଶିଯାଉଛି । ସେହି ନିର୍ଜନ ରାସ୍ତାରେ ଆଗରେ କଳାଛାଇ ପରି ଲୋକଟି, ପଛରେ ସତର୍କ ଶିକାରୀ ଶରତ୍‌ ।

 

ଖଣ୍ଡେ ବାଟ ଗଲାପରେ ଲୋକଟି ରାସ୍ତା ଛାଡ଼ି ରାସ୍ତା କଡ଼ରୁ ବଣ ଆଡ଼କୁ ଗଡ଼ିଲା । ଟିକିଏ ଦୂର ଗଲା ପରେ ଜଙ୍ଗଲ ଆରମ୍ଭ । ପ୍ରଥମେ ଛୋଟ ଛୋଟ ବୁଦି ବୁଦିଆ ଜଙ୍ଗଲ । ତା’ପରେ ଖାଲି କଣ୍ଟାବାଉଁଶର ଘନ ଜଙ୍ଗଲ । ଭିତରୁ ଆକାଶ ଦେଖିବା କଷ୍ଟ । ସେହି କଣ୍ଟାବାଉଁଶ ବୁଦା ଭିତର ଦେଇ ଏକଡ଼ ସେକଡ଼ ହୋଇ କେତେବାଟ ଗଲାପରେ ଆଗରେ ଖୁବ୍‌ ମିଞ୍ଜିମିଞ୍ଜି ହୋଇ ଆଲୁଅଟିଏ ଦେଖାଗଲା । ଶରତ୍‌ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ ଘନ ବନାନୀ ଭିତରେ ଆଲୁଅ କ’ଣ, ତା’ପରେ ଏ ଲୋକର ବା ଏଠି କାମ କ’ଣ ?

 

ଆଲୁଅକୁ ଲକ୍ଷ୍ୟ କରି ଯାଇ ଲୋକଟି ଖୁବ୍‌ ପାଖରେ ପହଞ୍ଚିଗଲା । ଶରତ୍‌ ମଧ୍ୟ ତା’ର ଖୁବ୍‌ ପାଖରେ ଥାଇ ପରିଷ୍କାର ଦେଖି ପାରୁଥାନ୍ତି, ଆଲୁଅଟା ଗୋଟାଏ ଛୋଟ କୁଡ଼ିଆ ଘର ଦୁଆରେ ଜଳୁଛି । ଲୋକଟି ଘର ଭିତରକୁ ପଶିଯିବା ସଙ୍ଗେ ସଙ୍ଗେ କବାଟଟା ଗୋଟାଏ ବିକଟ ଶବ୍ଦ କରି ବନ୍ଦ ହୋଇଗଲା ।

 

ହଠାତ୍‌ ଘରର ପାଖକୁ ଚାଲିଯିବାଟା ନିରାପଦ ନୁହେଁ ଭାବି ପାଖରେ ଗୋଟାଏ ଝଙ୍କାଳିଆ ବୁଦା ମୂଳରେ ଶରତ୍‌ ଲୁଚିଗଲେ । ସେଇଠୁ ସେ ପରିଷ୍କାର ଦେଖିପାରିଲେ ଦୁଆରଟାକୁ-। ଦୁଆରେ ଆଲୁଅଟା ଜଳୁଥାଏ ସେଇପରି । ଘର ଭିତରୁ କେତେଜଣ ଲୋକଙ୍କର ଖୁବ୍‌ ମୋଟା ଗଳାରେ ହସ ମଧ୍ୟ ଶୁଣାଯାଉଥାଏ । ପ୍ରଥମେ ଶରତ୍‌ର ମନରେ ଘର ନିକଟକୁ ଯିବା ସଙ୍ଗେ ସଙ୍ଗେ ଯେଉଁ ସନ୍ଦେହ ହେଉଥିଲା, ତାହାହିଁ ଅକ୍ଷରରେ ଅକ୍ଷର ସତ ହେଲା । ଠିକ୍‌ ଦୁଇମିନିଟ୍‌ ସମୟ ହେବ କି କ’ଣ, ଜଣେ ଲୋକ ବାହାରକୁ ଆସି ଆଲୁଅଟାକୁ ଭଲ କରି ଟିକେ ତେଜି ଦେଇ ଘରର ପଛ ଆଡ଼କୁ ଚାଲିଗଲା । ସେଠାରେ କି ପ୍ରକାର ଗୋଟିଏ ଅବ୍ୟକ୍ତ ଶବ୍ଦ କରିବାକୁ ଲାଗିଲା । ସେ ସ୍ୱର ଶୁଣିବାକୁ ଗୋଟାଏ ଅଦ୍ଭୁତ ପ୍ରକାରର; କୌଣସି ପଶୁ ବା ପକ୍ଷୀର ଶବ୍ଦପରି ନୁହେଁ । ତା’ ସଙ୍ଗେ ସଙ୍ଗେ ବହୁତ ଦୂରରୁ ଠିକ୍‌ ସେଇପରି ସ୍ୱରରେ ଉତ୍ତର ଶୁଣାଗଲା । ଘଟଣାଟା କ’ଣ ଘଟିବାକୁ ଯାଉଛି, ଭଲକରି ଟିକେ ଜାଣିବାପାଇଁ ଆଚ୍ଛାକରି ସଜାଡ଼ି ହୋଇ ବସିଲେ ଶରତ୍‌ ।

ଅଳ୍ପ ସମୟ ପରେ ଘରର ପଛଆଡ଼ୁ ଦୁଇତିନି ଜଣ ଲୋକଙ୍କର ଖୁବ୍‌ ବଡ଼ପାଟିର କଥାବାର୍ତ୍ତା ସେ ଶୁଣିବାକୁ ପାଇଲେ । କଥା କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ଶୁଣାଯାଉଥାଏ । ଶରତ୍‌ ଅନୁମାନ କଲେ, କେତେଜଣ ଲୋକ କଥାବାର୍ତ୍ତା ହେଉ ହେଉ ବୋଧହୁଏ ସେ ଘର ଆଡ଼କୁ ଆସୁଛନ୍ତି । କ୍ରମେ ସେ ଦେଖିପାରିଲେ–ତାଙ୍କର ଅନୁମାନ ନିର୍ଭୁଲ । ପ୍ରକୃତରେ ପ୍ରଥମେ ଆଲୁଅ ନେଇଯାଇଥିବା ଲୋକଟିକୁ ଛାଡ଼ି ଆଉ ଦୁଇଜଣ ନୂତନ ଆଗନ୍ତୁକ ଅଛନ୍ତି । ଉକ୍ତ ଦୁଇଜଣକ ମଧ୍ୟରୁ ଜଣେ ଅତି ମୋଟା, ଦୀର୍ଘକୃତି । ମୁହଁରେ ତା’ର ପୂରା ଦାଢ଼ି । ଗଳାର ସ୍ୱରଟା ମଧ୍ୟ ଅସ୍ୱାଭାବିକ ରକମର କର୍କଶ । ସେ ଲୋକଟାର କଥା କଥାକେ ଅଶ୍ଳୀଳ କଥାଗୁଡ଼ା ବାହାରୁ ଥାଏ ତା’ ମୁହଁରୁ । ଶରତ୍‌ ଅନୁମାନ କଲେ–ଲୋକଟା ପୂରା ମାତାଲ ହୋଇ ପଡ଼ିଛି ।

ଦେଖୁ ଦେଖୁ ସେ ତିନିହେଁ ସେଇ କୁଡ଼ିଆ ଭିତରେ ଆଲୁଅଟି ଧରି ପଶିଗଲେ । ତା ସଙ୍ଗେ ସଙ୍ଗେ କବାଟଟା ମଧ୍ୟ ବନ୍ଦ ହୋଇଗଲା । ଆଉ ଡେରି କରିବା ଠିକ୍‌ ନୁହେଁ ଭାବି ଶରତ୍‌ ଚୁପ୍‌ ଚାପ୍‌ ବୁଦାମୂଳରୁ ବାହାରି ଘର ପାଖକୁ ଚାଲିଲେ । ଘରର ଚାରିପଟେ ଥରେ ସତର୍କ ଭାବରେ ବୁଲିଆସି ଦେଖିଲେ କେଉଁଠି କିଛି ରାସ୍ତା ଅଛି କି ନାହିଁ । କିନ୍ତୁ ତାଙ୍କର ଆଶା ନିରାଶାରେ ପରିଣତ ହେଲା । ଅଗତ୍ୟା ସେ ସଦର ଦରଜା ଫାଙ୍କରେ କିଛି ଦେଖିବାକୁ ଆଶାକରି ପିଣ୍ଡା ଉପରକୁ ଉଠିଲେ ।

ଘର ଭିତରେ ଆଲୁଅ ଜଳୁଥାଏ । ଭିତରର ଦୃଶ୍ୟ ଦଦରା କବାଟ ଫାଙ୍କରେ ପରିଷ୍କାର ଦେଖାଯାଉଥାଏ । ଶରତ୍‌ ଦେଖିଲେ—ଘର ଭିତରେ ସର୍ବମୋଟ ଲୋକ ସାତଜଣ । ସମସ୍ତେ ଷଣ୍ଢ ମାର୍କା । ସମସ୍ତଙ୍କ ପାଖରେ ଗୋଟାଏ ଗୋଟାଏ ମଦ ବୋତଲ, ଚିଲମ୍‌ । ଆଗରେ ଗୋଟାଏ ବଡ଼ ଡବାରେ ଡବାଏ କୋକେନ୍‌ ଭରା ରହିଛି, ଘର ଭିତରଟା ଧୂଆଁରେ ଅନ୍ଧାର । ଲୋକଗୁଡ଼ାକ ସେଇ ଧୂଆଁ ଗହଳିରେ ପ୍ରେତ ପରି ବସିଛନ୍ତି । ଅସଂଯତ କଥାବାର୍ତ୍ତା, ହସରେ ଘର ଫାଟି ପଡ଼ୁଛି ଯେମିତି-। ସେମାନଙ୍କ ଭିତରେ ସବୁଠାରୁ ମୋଟା, ଦୀର୍ଘାକୃତି, ଦାଢ଼ିଆ ଲୋକଟି ବେଶ୍‌ ଚକାପକାଇ ଗୋଟାଏ କାଠ ପେଟିକୁ ଆଉଜି ବସିଛି । ସମସ୍ତେ ତାକୁ ଅପେକ୍ଷାକୃତ ଅଧିକ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଛନ୍ତି । ଶରତ୍‌ ଅନୁମାନ କଲେ, ଏଇ ସମ୍ମାନ ଦେଖାଇ କଥାବାର୍ତ୍ତା କରୁଛନ୍ତି । ଶରତ୍‌ ଅନୁମାନ କଲେ, ଏଇ ଲୋକଟି ସବା ଶେଷରେ ଆସିଥିଲା ବୋଧହୁଏ; ପୁଣି ଲକ୍ଷ୍ୟ କରୁଥିଲେ—କୋକେନ୍‌ ଖାଇବା ଆଉ ମଦ ପିଇବାରେ ସେ ଲୋକଟିର ପରିମାଣ ସମସ୍ତଙ୍କୁ ବଳି ଯାଉଥିଲା ।

‘‘ଆରେ ଅବନୀ ! ତୋ କାମ କେତେ ଦୂର କଲୁ ?’’ ଖୁବ୍‌ କର୍କଶ ଆଉ ମୋଟା ଗଳାରେ ପଚାରିଲା ସେ ଦାଢ଼ିଆ ଲୋକଟି ।

‘‘ପୂରା ଭାଇ ସାହେବ ! ଖାଲି ମୋ ପାଉଣାଟା ପାଇଗଲେ ଜିନିଷ ଦେବି । ନହେଲେ ରାୟବାହାଦୁର ଉପରେ ମୋର ଜମାରୁ ଭରସା ନାହିଁ ।’’ ନିରୀହ ଶିଶୁପରି କହିଲେ ଅବନୀବାବୁ । ଶରତ୍‌ ଏତେ ବେଳକେ ଜାଣିଲେ ଯେ—ଏହି ଅବନୀ ଅବନୀକାନ୍ତ ହୋଇ ଶିଳ୍ପପୁରୀର ମ୍ୟାନେଜର ସାଜି ବସିଥିଲା ।

‘‘ରଖ୍‌ରେ ତୋ ରାୟବାହାଦୁର । ସେଇଟା ମାଈଚିଆଟାଏ । କ’ଣ ନା, ନାଁ ରାୟବାହାଦୁର; ନାମ ବଡ଼ା ଖାଲି; ତା’ରି ଦୁକୁ ଦୁକୁ ଯୋଗୁ ସବୁ ଭଣ୍ଡୁର । ନହେଲେ ସେଦିନ କିଶୋରୀଲାଲର ଛାତିର ରକ୍ତ ଛୁରୀଟା ଟିକେ ଚାଖି ନଥାନ୍ତା ? ଖାଲି ଥଣ୍ଡାଏ ଥଣ୍ଡାଏ ମୁଁ ଫେରିବା ଲୋକ ନୁହେଁରେ । ହୁଁ......’’

 

‘‘ସେ କଥା ଠିକ୍‌ ଭାଇ ସାହେବ ! ତେବେ ମୋ ପାଉଣା ପାଇଲେତ ମୁଁ ପୁଣି ରାମ ଶରଣକୁ ଦେବି । ଖାସ୍‌ ତା’ରି ଯୋଗୁ ଆମର କାମ... ।’’

 

‘‘ତାକୁ ମୁଁ ଦେବି; ତାକୁ ସେଇଦିନ ରାତିରେ ଖତମ୍‌କରି ଦେବି । ଆରେ, ଭୁତ ହୋଇ ସେ ଯେତେ ନାଚିଛି ବଞ୍ଚି ଥାଉ ଥାଉ, ମଲା ପରେ ଫେରେ ସେତିକି ନାଚିବ ତ !’’

 

ହୋ ହୋ’ ହୋଇ ହସି ଉଠିଲେ ଘରର ସମସ୍ତେ; ତା’ ସାଥିରେ ସେ ଲୋକଟା ବି । ସତେ ଯେମିତି ଘରର କାନ୍ଥ ଗୁଡ଼ାକ ଦୋହଲିଗଲା ସେ ହସରେ ।

 

‘‘ଶୁଣ୍‌ ! ତୁ ତିନିଲକ୍ଷ ପାଇଛୁ । ଆଉ ଦୁଇଲକ୍ଷ ମୋଠୁ ନେବୁ ଆଉ କାଠିଟା ମତେ ଦବୁ-। ରାୟବାହାଦୂର ସାଙ୍ଗରେ ତୋର କିଛି ଯାଏ ଆସେ ନାହିଁ । ଯୋଉ ଦିନ ଜାହାଜରେ ମାଲ ଯିବ, ସେ ଦିନ ତୋ ପାଉଣା ତୁ ପାଇବୁ ।’’ ମୋଟା ଲୋକଟି କହିଲା ।

 

‘‘ସେ ଅନେକ ଡେରି ହେବ....’’ । ମୁଁ-ମୁଁ ହୋଇ ଥାଉ କ’ଣ କହିବାକୁ ଯାଇଥିଲେ ଅବନୀବାବୁ ।

 

‘‘ବେଶୀ ନୁହେଁ, ବେଶୀ ନୁହେଁ; ଏଇ ପହିଲା ତାରିଖରେ । ଆଜି ଖବର ଆସିଛି । ଜାହାଜ ଠିକ୍‌ ଆସିଥିବ । ଅସଲ ହେଲା ଆମର ଯୋଗାଡ଼ ।’’

 

ଅବନୀବାବୁ କ’ଣ ଟିକିଏ ଭାବି କହିଲେ—‘‘ଟିକିଏ ଅସୁବିଧା ହେବ । ପହିଲା ଦିନ ଅମାବାସ୍ୟା । ସେ ଦିନ ଏଣେ କାମ, ତେଣେ କାମ; ହବ ତ ?’’

 

ଏ କଥା ଶୁଣି ହୋ’ ହୋ’ ହୋଇ ହସି ଉଠିଲା ପୁଣିଥରେ ମୋଟା ଲୋକଟା । ହସର ବେଗ ନ କମୁଣୁ କହିଲା—‘‘ସବୁ ହବ । ରାତି ଦଶଟା ଭିତରେ ଇଆଡ଼େ କାମ ଶେଷ ହେବ; ବାରଟା ସୁଦ୍ଧା ମାଲ ବୋଝେଇ ଶେଷ । ସେଇଠୁ ଶୁଭ ଅନୁକୂଳ । କ’ଣ, ହେଲା ?’’ ହିଃ ହିଃ ହିଃ ହିଃ । ଲୋକଟାର ଅସରନ୍ତି ହସର ଧାରା ଛୁଟିଲା ।

 

‘‘ଆରେ ରାୟ ବାହାଦୂର ସବୁଥିକି ଡରି ଛାନିଆଁ ବୋଲି ଏ ରଘୁନନ୍ଦନ ସିଂ ଡରୁଆ ନୁହେଁ । ସେ ଜୀବନ ବିକଳରେ ପାତ୍ରଟାକୁ ଘରେ ରଖିଛି, ମୁଁ ତ ହୋଇଥିଲେ ତାକୁ ମେଞ୍ଚାକରି ଫୋପାଡ଼ି ଦିଅନ୍ତିନି । କ’ଣ କହୁଛ ଦୋସ୍ତମାନେ ?’’ ଛାତିରେ ହାତମାରି ପଚାରିଲା ଦସ୍ୟୁ ଜଣକ ।

 

‘‘ଠିକ୍‌, ଠିକ୍‌ !’’ ଏକାବେଳେକେ ବହୁ କଣ୍ଠରୁ ସମର୍ଥନର ସ୍ୱର ଉଠିଲା । ଦସ୍ୟୁ ପୁଣିଥରେ ହସି ଉଠିଲା । ତା’ ସାଙ୍ଗେ ସାଙ୍ଗେ ଅନ୍ୟମାନେ ବି ।

 

ଶରତ୍‌ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇ ରହିଥିଲେ ଦଦରା ଦରଜା ପାଖରେ । ମନରେ ତାଙ୍କର ଆଶାର ଦୀପ ଦିକ୍‌ ଦିକ୍‌ ହୋଇ ଜଳି ଉଠୁଥିଲା । ‘‘ଏ ତେବେ ରଘୁନନ୍ଦନ ସିଂ ! ବିଖ୍ୟାତ ଦସ୍ୟୁ ? ଯାହାକୁ ଧରିଦେବା ପାଇଁ ହଜାର୍‌ ହଜାର୍‌ ଟଙ୍କାର ପୁରସ୍କାର ଘୋଷଣା ହୋଇଯାଇଛି; ସେ ତେବେ ଆଜି ହାତ ମୁଠାରେ ? ଆଃ ! କି ଯେ ସୁଯୋଗ ।’’

 

‘‘ଅବନୀ ! ତୋ ସାଙ୍ଗରେ ରଘୁନାଥ ଥାଉ । ତା’ରି ହାତରେ ଜିନିଷ ଦେଇଦେବୁ । ଆଉ ହଁ; ଏଥର ମାଲ କେତେ ଆସିଥିଲା ?’’ ପଚାରିଲା ରଘୁନନ୍ଦନ ।

 

‘‘ମାଲ୍‌ ?’’ ଥତମତ ହୋଇ କହିଲେ ଅବନୀବାବୁ । ମାଲ ଆସିଥିଲା—ଅଫିମ ପଚାଶ ପେଟି ଆଉ କୋକେନ୍‌ ପଚାଶ ପେଟି । ସେ ସବୁ ରାୟବାହାଦୂର ଜିମାରେ ଅଛି ।’’

 

‘‘ସେ ବୋକାଟା ପାଖରେ କାହିଁକି ରଖିଲୁ ? ଏଣିକି ତୁ ରଖ । ଅମାବାସ୍ୟାଦିନକୁ ଭଲ ମାଲ ଯୋଗା; ନହେଲେ ଯେ ଭୂତ ବାହାରିବ ନାହିଁ ।’’ କହୁ କହୁ ହୋ-ହୋ ହୋଇ ହସି ଉଠିଲା ରଘୁନନ୍ଦନ ସିଂ ।

 

ଦଳର ଅନ୍ୟମାନେ ବି ସେ ହସରେ ଭାଗ ନେଲେ, ଘରଟା ଦୋହଲି ଉଠିଲା ଯେମିତି ସେ ପୈଶାଚିକ ହସରେ ।

 

ଶରତ୍‌ ଦେଖିଲେ, ଏମାନଙ୍କର କଥାବାର୍ତ୍ତା ଶେଷ ହେବାକୁ ପ୍ରାୟ ବସିଲାଣି । କାହାରି ପୂରା ହୋସ୍‌ ଥିଲା ପରି ଜଣାଯାଉ ନାହିଁ । ସେ ଯେଉଁ ଅବସ୍ଥାରେ ଅଛି, ସେ ସେଇ ଅବସ୍ଥାରେ ଝୁଲ୍‌ ଝୁଲ୍‌ । ଅବନୀବାବୁ ଯିବାକୁ ଉଠ୍‌ ଉଠ୍‌ ହେଲେଣି । ନିଜର ଅବସ୍ଥା ଆଉ ପରିସ୍ଥିତି କଥା ଭାବି ଶରତ୍‌ ସେଠାରୁ ବାହାରି ଖଣ୍ଡେ ଛଡ଼ାରେ ଅପେକ୍ଷା କରି ରହିଲେ, ଅବନୀବାବୁଙ୍କ ଫେରିବା ବାଟକୁ ଚାହିଁ ।

 

ଠିକ୍‌ ପର ମୁହୂର୍ତ୍ତରେ ବିକଟ ଚିତ୍କାର କରି ଦଦରା କବାଟଟା ଖୋଲିଲା, ଆଉ ଅବନୀକାନ୍ତ ବାବୁ ବାହାରି ଆସିଲେ ସାଙ୍ଗରେ ଜଣେ ଲୋକକୁ ଧରି ଗଜଗମନ ଚାଲିରେ ।

Image

 

-ଆଠ-

 

ସେ ଦିନ ଅମାବାସ୍ୟା ।

 

ଖୁବ୍‌ ସକାଳୁ ଅବନୀବାବୁ ଭାରି କାର୍ଯ୍ୟବ୍ୟସ୍ତ । ମି: ପାତ୍ରଙ୍କ ଘରୁ ଭୂତ କଢ଼ାଇବାକୁ ହେବ ଆଜି । ସେ ପୂଜା ସରଞ୍ଜାମ ଯୋଗାଡ଼ କରାଇବାରେ ବ୍ୟସ୍ତ । ଭୂତ କାଳେ କିଛି ଉପଦ୍ରବ କରିବ-ଏ ଭୟରେ ଚାକର, ପୁଝାରୀମାନେ କାମର ବାହାନା କରି ଯେ ଯୁଆଡ଼େ ପଳାଇଲେଣି । ଅବନୀବାବୁ ବି ସମସ୍ତଙ୍କ ଛୁଟି ସେ ଦିନଟା ପାଇଁ ମଞ୍ଜୁର କରି ଦେଇଛନ୍ତି । କେବଳ ଦରଓ୍ୱାନ୍‌ ରାମଶରଣ ଛୁଟିରେ ନ ଯାଇ ଅଛି । ସେ ବଡ଼ ବିଶ୍ୱସ୍ତ ଚାକର । ମାଲିକାଣୀଙ୍କୁ ଛାଡ଼ି ଯିବ ବା କେମିତି ?

 

ମିସେସ୍‌ ପାତ୍ର ସବୁ ଦେଖୁଛନ୍ତି । ଅବନୀବାବୁଙ୍କ ହାବ ଭାବ ତାଙ୍କୁ କେମିତି ଖାପଛଡ଼ା ବୋଧ ହେଉଛି । ବେଳେ ବେଳେ ତାଙ୍କ କଥାବାର୍ତ୍ତା ବଡ଼ ସନ୍ଦେହଜନକ ଜଣା ଯାଉଛି । ତଥାପି ସେ ନିରୁତ୍ତର । ଅବନୀବାବୁଙ୍କୁ କାମରେ ସାହାଯ୍ୟ କରିବାପାଇଁ ଯେଉଁ ଦୁଇଜଣ ଲୋକ ନୂଆ ଆସିଛନ୍ତି, ସେମାନେ ତାଙ୍କୁ ଏକପ୍ରକାର ଗୋଡ଼େ ଗୋଡ଼େ ଜଗିଛନ୍ତି କହିଲେ ଚଳେ । ଦରଓ୍ୱାନ୍‌ ରାମଶରଣ ଯେ କେଉଁଠି କ’ଣ କରୁଛି ତା’ ସେ ଦେଖିବାକୁ ପାଉ ନାହାନ୍ତି । ଏହା ଛଡ଼ା ନିଜର ଚାକର, ପୁଝାରୀ, ଚାକରାଣୀ କେହି ପାଖରେ ନାହାନ୍ତି । ଯେ ଯୁଆଡ଼େ ଛୁଟି ନେଇ ଯାଇଛନ୍ତି । ମିସେସ୍‌ ପାତ୍ର ବନ୍ଦିନୀଙ୍କ ପରି ପଡ଼ିରହି ଛଟ ପଟ ହେଉଛନ୍ତି, ଆଉ ଆପଣାର କୃତକର୍ମକୁ ମନେ ମନେ ନିନ୍ଦା କରୁଛନ୍ତି; କେବଳ ବେଳେ ବେଳେ ଦୀର୍ଘ ନିଃଶ୍ୱାସ ଛାଡ଼ି କହୁଛନ୍ତି—‘‘ଓଃ ! କି ବୁଦ୍ଧି କଲି-!’’

 

ଏଣେ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କର ଆଜି କାର୍ଯ୍ୟ ତତ୍ପରତାର ସୀମା ନାହିଁ-। ତାଙ୍କ ବାସଭବନଟିରେ ଆଜି ଭାରି କୋଳାହଳ । ବଡ଼ ବଡ଼ କାଠ ପ୍ୟାକିଂ କରିବାରେ ଚାକରମାନେ ବ୍ୟସ୍ତ । କେତେ ପେଟି ଯେ ଭଲ ଭାବରେ ପ୍ୟାକ୍‌ ହୋଇ ଟ୍ରକ୍‌ରେ ବୋଝେଇ ହୋଇ କୁଆଡ଼େ ଗଲାଣି ତା’ ଖବର ଅଜଣା । ଏଣେ ପେଟି ପ୍ୟାକ୍‌ ଚାଲିଛି, ବୁହା ମଧ୍ୟ ଚାଲିଛି । ସେଥିରେ କ’ଣ ରହୁଛି, କୁଆଡ଼େ ଯାଉଛି, ତାହା ଜାଣିବାର କାହାରି ସାଧ୍ୟ ନାହିଁ ।

 

ରାୟବାହାଦୂର ବେଳେ ବେଳେ ବାହାରକୁ ଆସି ନିଜ ବୈଠକଖାନାରେ କାହା ସହିତ କିଛି ଟେଲି ଫୋନ୍‌ରେ କ’ଣ କଥାବାର୍ତ୍ତା ହେଉଛନ୍ତି, ପୁଣି ଘର ଭିତରକୁ ଯାଇ ଗୋଟାଏ ନିଭୃତ କୋଠରୀରେ ଓୟାରଲେସ୍‌ରେ କାହାକୁ କ’ଣ କହୁଛନ୍ତି, ପୁଣି ଖବର ଶୁଣୁଛନ୍ତି । ବେଳେ ବେଳେ ପ୍ୟାକିଂ କରାଯାଉଥିବା ଯାଗାକୁ ଆସି ଶୀଘ୍ର ଶୀଘ୍ର କାମ ଶେଷ କରିବାପାଇଁ ତାଗିଦ୍‌ କରି ଯାଉଛନ୍ତି ।

 

ମଧ୍ୟେ ମଧ୍ୟେ କେହି ଲୋକ ଆସିଲେ ରାୟବାହାଦୂର ତାଙ୍କୁ ଘର ଭିତରକୁ ଆସିବାକୁ କିମ୍ବା ଚାକର ବାକରଙ୍କ କାମ ଲକ୍ଷ୍ୟ କରିବାକୁ ଆଦୌ ସୁବିଧା ଦେଉ ନାହାନ୍ତି । ଯଥା ସମ୍ଭବ ଶୀଘ୍ର ଶୀଘ୍ର ସେମାନଙ୍କୁ ବିଦା କରି ଦେଉଥାନ୍ତି ।

 

ଦିନ ପ୍ରାୟ ଏଗାରଟା ହେବ, କଳାରଙ୍ଗର ଦାମିକା କାର୍‌ ଖଣ୍ଡିଏ ଆସି ଲାଗିଲା ଫାଟକ ପାଖରେ । ଅନ୍ୟ ଗାଡ଼ି ହୋଇଥିଲେ ଅଟକିଥାନ୍ତା ଫାଟକ ପାଖରେ, କିନ୍ତୁ ରାୟବାହାଦୂରଙ୍କ ହୁକୁମ ଅନୁସାରେ ଫାଟକ ପୂରା ଖୋଲି ଦିଆଗଲା । କାର୍‌ ଖଣ୍ଡି ଭିତରକୁ ଯାଇ ଠିକ୍‌ ତାଙ୍କର ବୈଠକଖାନା ବାରଣ୍ଡାକୁ ଲାଗି ରହିଲା । ତା’ ଭିତରର ଆରୋହୀକୁ କେହି ଦେଖି ପାରିଲେ ନାହିଁ । ଆରୋହୀ ଜଣକ ଓହ୍ଲାଇବା ମାତ୍ରେ ରାୟବାହାଦୂର ତାକୁ ଧରି ସିଧା ବୈଠକ ଖାନା ଭିତରକୁ ପଶିଗଲେ ।

ଭିତରେ ଦୁଇଜଣଯାକ ଆସନଗ୍ରହଣ କଲାପରେ ଆଗନ୍ତୁକ ଆଗ ପ୍ରଶ୍ନ କଲେ–‘‘କ’ଣ-? ଏଣେ ସବୁ ଶେଷ ହେଲାଣି ତ ?’’

ରାୟବାହାଦୂର ଉତ୍ତର ଦେଲେ–‘‘ପ୍ରାୟ ହେବା ଉପରେ । ମାଲ ସବୁ ପଠାଇ ଦେଲିଣି, ଆଉ ଅଳ୍ପ ଅଛି । ବୋଧହୁଏ ବାରଟା ସୁଦ୍ଧା ସରିବ । ତେଣେ ବୋଝେଇର ବନ୍ଦୋବସ୍ତ କ’ଣ ହେଲା-?’’

‘‘କରାଯିବ ସାତଟା ପରେ । ଦିନରେ ଆଦୌ ସୁବିଧା ନୁହେଁ ।’’

‘‘ଏଣିକି ବ୍ୟବସ୍ଥା ?’’

‘‘ସବୁ ଠିକ୍‌ ! ଦଶଟା ସୁଦ୍ଧା ମାନସପୁରୀ କାମ ଶେଷ । ସେଠୁ ଯାହା ମିଳିବ, ତାକୁ ୟାକୁ ଏକାବେଳକେ ଲଦି ଦେଇ ଆଗେ ଛୁ ।’’

‘‘ଦଳଟା ?’’

‘‘ଗୁଲି ମାର ଦଳକୁ । ଦଳସାରା ସମସ୍ତେ ଖୁବ୍‌ ମଉଜ କରିଛନ୍ତି, ଖାଇଛନ୍ତି, ଆଉ କ’ଣ-?’’

‘‘ସେ କାମ କରନା ରଘୁନନ୍ଦନ ! ଫେର୍‌ ଆଗକୁ ତ ଦିନ ଅଛି ?’’

‘‘ଆଉ ଆଗକୁ କିଛି ନାହିଁ । ଏଥର ଯାହା ଯାଉଛି ସେଥିରେ ଆମ ଦୁହିଙ୍କର ବେଶ୍‌ ଚଳିଯିବ ସାରା ଜୀବନଟା । ଆଉ ଏଠିକୁ ଫେରିବା ଦରକାର ନାହିଁ କି ଦଳ ପାଖରେ ଦେଖା କରିବାର ଦରକାର ବି ପଡ଼ିବ ନାହିଁ ।’’

 

‘‘ଯଦି କେହି କିଛି ଅଭିଯୋଗ.... ?’’

 

ଆଗନ୍ତୁକ ଚଟ୍‌ ପରି ରିଭଲଭରଟା ପକେଟରୁ କାଢ଼ି ଦେଖାଇ କହିଲା–‘‘ଏଇ ତା’ର ଜବାବ ଦେବ ।’’ ପୁଣି ସେଟା ପକେଟରେ ରଖି କହିଲା–‘‘ହଁ, ଜାହାଜର ଖବର କ’ଣ ?’’

 

‘‘ଠିକ୍‌ ଅଛି ? ଚୀନା ଦସ୍ୟୁ ଚିୟାଂ ତା’କାମରେ ଠିକ୍‌ ଅଛି । ମୁଁ ଅଳ୍ପ ସମୟ ପୂର୍ବରୁ ତା’ ସହିତ ଓୟାରଲେସ୍‌ରେ କଥାବାର୍ତ୍ତା କରୁଥିଲି ।

 

‘‘ତେବେ ଠିକ୍‌ ! ମୁଁ ଆସେ । ପୁଣି ଦେଖା ରାତି ଦଶଟା ପରେ । ସବୁ ଯେମିତି ପ୍ରସ୍ତୁତ ଥାଏ । ହଁ, ପାତ୍ର ?’’

 

‘‘ଠିକ୍‌ କଥା ତ ! ମୁଁ ତ ଭୁଲି ଯାଇଥିଲି ତୁମକୁ ପଚାରିବାକୁ ।’’

 

‘‘ଆଚ୍ଛା, ଆଚ୍ଛା; ତା’ କଥା ମୋତେ ଲାଗେ । ସେଟାକୁ ଖତମ୍‌ କରିଦେଲେ ଏକାବେଳକେ ସବୁ ଅଡ଼ୁଆ ଯିବ । ଲାସ୍‌ଟାକୁ ସମୁଦ୍ର ମଝିରେ ପକାଇ ଦେଇ, ବେଶ୍‌; ତେଣିକି ସେ ଜଳକେଳି କରୁଥିବ ।’’

 

ରାୟବାହାଦୂର ହୋ ହୋ ହୋଇ ହସି ଉଠିଲେ । ଆଗନ୍ତୁକ ଦସ୍ୟୁ ରଘୁନନ୍ଦନ ବି ରାୟବାହାଦୂରଙ୍କ ସହିତ କରମର୍ଦ୍ଦନ କରୁ କରୁ ଉଠିଲା ।

 

X X X

 

ପୋଲିସ୍‌ ହେଡ଼ କ୍ୱାଟର୍ସ.......

 

ସବୁଦିନ ଅପେକ୍ଷା ଆଜି ଅଧିକ ନୀରବତା ବିରାଜମାନ କରୁଥିଲା ସେଠି । ପୋଲିସ ଅଫିସରମାନେ ପ୍ରତ୍ୟେକେ କାର୍ଯ୍ୟବ୍ୟସ୍ତ କିନ୍ତୁ ସମସ୍ତଙ୍କ ମନରେ କିପରି ଗୋଟାଏ କୌତୁହଳ ଭାବ ଉଙ୍କି ମାରୁଥିଲା । ଗୋଟିଏ ନିଭୃତ କୋଠରୀରେ ବସି ପୋଲିସ କମିଶନର, ଆଇ.ଜି, ଏସ୍‌.ପି, ମି: ଚୌଧୁରୀ ପ୍ରଭୃତି ବଡ଼ ବଡ଼ ପୋଲିସ ଅଫିସରମାନେ ଗୁପ୍ତ ମନ୍ତ୍ରଣାରେ ବ୍ୟସ୍ତଥିଲେ । ପ୍ରାୟ ଦୁଇ ଘଣ୍ଟା କାଳ କଥାବାର୍ତ୍ତା ପରେ ଆଲୋଚନା ଶେଷ ହେଲା । କେବଳ ମି: ଚୌଧୁରୀଙ୍କୁ ଛାଡ଼ି ଅନ୍ୟମାନେ ଫେରିଲେ । ମି: ଚୌଧୁରୀ ସ୍ୱତନ୍ତ୍ର ଲାଇନରେ ଟେଲିଫୋନ୍‌ ଯୋଗେ କେତେକ କଥାବାର୍ତ୍ତା ସାରି ଫେରିଲେ ।

 

ଏଇ କେତେ ସମୟ ଆଲୋଚନା ଫଳରେ ପୋଲିସ ପକ୍ଷରୁ ଯେ କି ବିରାଟ ଆୟୋଜନ କରା ହୋଇଗଲା—ତା’ର ସତ୍ତା ଏଡ଼େ ବଡ଼ ସହରଟାରେ କେହି ସୁଦ୍ଧା ଜାଣି ପାରିଲେ ନାହିଁ—ସବୁ ଗୋପନୀୟ, ଚରମ ଗୋପନୀୟ ।

 

X X X

 

ସନ୍ଧ୍ୟା....

 

ପ୍ରଳୟ ଝଡ଼; ବର୍ଷା ଅପେକ୍ଷା କରି ରହିଥିଲା ଯେପରି । ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ଚାଲିଲା ଝଡ଼ ବର୍ଷାର ତାଣ୍ଡବ । ସନ୍ଧ୍ୟାରେ ସହରର ଦୋକାନ, ବଜାର ଯେପରି ଗହଳିରେ ପୂର୍ଣ୍ଣ ହୋଇଥାଏ ଆଜି ସେ ସବୁ କିଛି ନାହିଁ । ରାସ୍ତାରେ ଖାଲି ଜଳସ୍ରୋତ । ସନ୍ଧ୍ୟା ପରେ ପରେ ଦୋକାନ ଗୁଡ଼ାକ ବି ବନ୍ଦ ହୋଇଗଲାଣି ।

 

ଠିକ୍‌ ଏଇ ବେଳରେ ପୋଲିସ ହେଡ଼୍‌କ୍ୱାଟର୍ସରୁ କେତେ ଦଳ ସୁଶିକ୍ଷିତ ସଶସ୍ତ୍ର ସିପାହୀ ସହରର ବିଭିନ୍ନ ଦିଗରେ ବାହାରି ପଡ଼ିଲେ । ସମସ୍ତଙ୍କ ଦେହରେ କଳା, ବର୍ଷାତି, ହାତରେ ରାଇଫଳ, ଅଣ୍ଟାରେ ରିଭଲଭର, ହାତରେ ଖୁବ୍‌ ଶକ୍ତିଶାଳୀ ଟର୍ଚ୍ଚ ।

 

X X X

 

ମାନସପୁରୀ—

 

ଘୋର ଅନ୍ଧାର ଭିତରେ ବୁଡ଼ି ରହିଥିଲା ବିରାଟ ପ୍ରାସାଦଟା । ଏଡ଼େ ବଡ଼ ପ୍ରାସାଦଟାରୁ ଜନପ୍ରାଣୀର ଶବ୍ଦ ବି ଶୁଣାଯାଉ ନ ଥିଲା ବାହାରକୁ ।

 

ଗୋଟିଏ ସୁ-ଶିକ୍ଷିତ ପୋଲିସବାହିନୀ ନେତୃତ୍ୱରେ ମି: ଚୌଧୁରୀ ପରୀକ୍ଷା କରୁଥିଲେ ପ୍ରାସାଦର ଚତୁର୍ଦ୍ଦିଗ, ଭିତରକୁ ଯିବାକୁ କୌଣସି ରାସ୍ତା ଖୋଲା ଅଛି କି ନାହିଁ । କିନ୍ତୁ ବୃଥା; ସବୁ ରାସ୍ତା ବନ୍ଦ, ଏପରିକି ଝରକା ସୁଦ୍ଧା । କୌଣସି ବଖରାରୁ ଆଲୁଅଟିଏ ଜଳିବାର ବି ଦେଖାଯାଉ ନାହିଁ । ହତାଶ ହୋଇ ପଡ଼ିଲେ ମି: ଚୌଧୁରୀ । ଦରଜା ଖୋଲି ଯିବାକୁ ଚେଷ୍ଟା କଲେ ଦସ୍ୟୁ ହୁଏତ ଜାଣିପାରି ପଳାଇପାରେ । ଏଣେ ଡେରି କଲେ ମିସେସ୍‌ ପାତ୍ରଙ୍କ ଜୀବନ ବିପନ୍ନ । ଏଣେ ପ୍ରବଳ ଝଡ଼ ବର୍ଷା । ହଠାତ୍‌ ତାଙ୍କୁ ଗୋଟାଏ ବୁଦ୍ଧି ଦେଖାଗଲା । କାନ୍ଥ କଡ଼ ଅଣ୍ଡାଳି ପାଣି ପାଇପ୍‌ଟା ପାଇଗଲେ ସେ । ଏଥର ତାଙ୍କ ମନରେ ଆଶାର କ୍ଷୀଣ ଆଲୋକ ଦେଖାଗଲା । ସେଇଆକୁ ଧରି ଉପରକୁ ଉଠିବାକୁ ଲାଗିଲେ ସେ । ସୁଶିକ୍ଷିତ ଡିଟେକ୍‌ଟିଭଙ୍କ ପକ୍ଷରେ ଅବଶ୍ୟ କଷ୍ଟକର ହେଲା ନାହିଁ ଉପରେ ପହଞ୍ଚିବାଟା ।

 

ଉପରେ ପହଞ୍ଚି ସେ ଦେଖିଲେ ପ୍ରାସାଦର ସେ ଅଂଶଟା ପୂରା ଅନ୍ଧାର । ଆଉ କାଳ ବିଳମ୍ବ ନ କରି ପକେଟରୁ ଖୁବ୍‌ ଶକ୍ତି ଦଉଡ଼ାଟାଏ ବାହାର କରି ତା’ର ଗୋଟାଏ ପାଖ ତଳକୁ ଖସାଇ ଦେଲେ ସେ । ସେଇଆକୁ ଧରି ଜଣ ଜଣ କରି ସମଗ୍ର ପୋଲିସ ବାହିନୀ ଉପରକୁ ଉଠିଗଲେ ।

 

ଏଥର ମି: ଚୌଧୁରୀ ଚାରିଆଡ଼କୁ ଥରେ ସତର୍କ ଦୃଷ୍ଟି ପକାଇ ନିଜର ରିଭଲଭର୍‌ଟା ଥରେ ପରୀକ୍ଷା କରିନେଲେ । ତା’ପରେ ଚାଲିଲେ ପାଦ ଚାପି ଚାପି ଆଗକୁ । ପଛେ ପଛେ ଉଦ୍ୟକ ରାଇଫଲ୍‌ଧାରୀ ପୋଲିସବାହିନୀ ।

 

ପ୍ରାୟ ଛଅ ସାତଟା କୋଠରୀ ପାର ହୋଇ ଗଲାପରେ ମି: ଚୌଧୁରୀ ଗୋଟାଏ କୋଠରୀ ଭିତରୁ ସାମାନ୍ୟ କଥାବାର୍ତ୍ତା ଶୁଣି ପାରିଲେ । ପୋଲିସ୍‌ ଦଳକୁ ସେଠାରେ ଅଟକାଇ ଆଗକୁ ପାଦ ବଢ଼ାଇଲେ ସେ । ସାମାନ୍ୟ ଆଲୋକ ଦିଶୁଥିଲା ଗୋଟାଏ କୋଠରୀର ଆଉଜା କବାଟ ଫାଙ୍କରେ । ସେଇଠି କାନପାରି ମି: ଚୌଧୁରୀ ଶୁଣିଲେ ଭିତରର କଥାବାର୍ତ୍ତା । ସେ ପରିଷ୍କାର ଜାଣିନେଲେ କଥାବାର୍ତ୍ତା ହେଉଛି ମିସେସ୍‌ ପାତ୍ର ଆଉ ଅବନୀ ପଟ୍ଟନାୟକଙ୍କ ଭିତରେ । ଆଉ ଦୁଇଜଣ ଲୋକ ମଧ୍ୟ ସେଥିରେ ଭାଗ ନେଉଛନ୍ତି । ‘‘ତେବେ ରଘୁନନ୍ଦନ କାହିଁ ? ତା’ର ଗୁଣିଆଁ ହୋଇ ଭୂତ ଛଡ଼ାଇବାର କଥା !’’ ଘର ଭିତରର କଥାବାର୍ତ୍ତା ଶୁଣିବାକୁ କାନ ପାତିଲେ ସେ-। କିନ୍ତୁ ଅବନୀ ପଟ୍ଟନାୟକ ଖୁବ୍‌ ଅନୁଚ୍ଚ ସ୍ୱରରେ କ’ଣ କହୁଥିଲା ତାହା ଆଦୌ ପରିଷ୍କାର ଶୁଭୁ ନ ଥାଏ ବାହାରକୁ । ମି: ଚୌଧୁରୀ ରଘୁନନ୍ଦନ ସିଂ ଉଦ୍ଦେଶ୍ୟରେ ପାଦ ବଢ଼ାଇଲେ ଆଗକୁ, ମିସେସ୍‌ ପାତ୍ରଙ୍କ ଶୟନ କକ୍ଷ ଆଡ଼େ ।

 

ଠିକ୍‌ ଗୋଟିଏ ପାହୁଣ୍ଡ ସେ ଗୋଡ଼ ବଢ଼ାଇଛନ୍ତି କି ନାହିଁ ପାଖ କୋଠରୀରୁ ମିସେସ୍‌ ପାତ୍ରଙ୍କର ଚିତ୍କାର ସେ ଶୁଣି ପାରିଲେ । ‘‘ମୁଁ ରାଜି ନୁହେଁ; ତୁ ନୀଚ, ପଶୁ !’’

 

ସାଙ୍ଗେ ସାଙ୍ଗେ ଗୋଟାଏ ପୈଶାଚିକ ହସରେ ଥରି ଉଠିଲା କୋଠରୀଟା । ମିସେସ୍‌ ପାତ୍ର ଖୁବ୍‌ ଜୋର୍‌ରେ ଚିତ୍କାରଟାଏ କରି କବାଟଟା ଖୋଲି ଧାଇଁ ଆସୁଥିଲେ ବାହାରକୁ, କିନ୍ତୁ କବାଟର ଫାଳେ ସେ ଖୋଲିଛନ୍ତି କି ନାହିଁ, ତାଙ୍କୁ ଖୁବ୍‌ ଜୋର୍‌ରେ କିଏ ଧରିନେଲା ଭିତରୁ । ତା’ ସାଙ୍ଗେ ସାଙ୍ଗେ ଗୋଟାଏ ଖୁବ୍‌ ଆର୍ତ୍ତ ଚିତ୍କାର ଶୁଣାଗଲା ସେ କୋଠରୀରୁ ।

 

ଆଗକୁ ବଢ଼ାଇଥିବା ପାହୁଣ୍ଡଟା ପଛକୁ ହଟାଇ ନେଇ ମି: ଚୌଧୁରୀ କବାଟର ଖୋଲା ଫାଳକରେ ଦେଖିଲେ ମିସେସ୍‌ ପାତ୍ର କାନ୍ଥକୁ ଲାଗି ଭୟ-ବିହ୍ୱଳିତା ହୋଇ ଠିଆ ହୋଇଛନ୍ତି । ତାଙ୍କ ଆଗରେ ଅବନୀବାବୁ ଦୀର୍ଘ ଶାଣିତ ଛୁରୀଟାଏ ଧରି ପୈଶାଚିକ ହସରେ ଉନ୍ମତ୍ତ । ମିସେସ୍‌ ପାତ୍ର ଭୟରେ ଗୋଟିପଣେ ଥରୁଛନ୍ତି ।

 

ଅବନୀବାବୁ ପୈଶାଚିକ ମୂର୍ତ୍ତିଆଡ଼କୁ ଚାହିଁ ପୁଣି ଥରେ ଚିତ୍କାର କରି ଉଠିଲେ ମିସେସ୍‌ ପାତ୍ର । ସେଇ ମୁହୂର୍ତ୍ତରେ ତାଙ୍କ ହାତର ଛୁରୀ ଉପରକୁ ଉଠିଲା । ମିସେସ୍‌ ପାତ୍ର ଆଖି ବୁଜିଦେଲେ-। ଠିକ୍‌ ସେଇ ପଲକ ମାତ୍ର ସମୟ ଭିତରେ ‘ଭଷ୍‌’ କରି ନିଆଁର ଝଲକ୍‌ଟିଏ ଦେଖାଗଲା ଦ୍ୱାର ପାଖରେ । ଅବନୀବାବୁ ଚିତ୍କାର କରି ଉଠିଲେ । ହାତରୁ ତାଙ୍କର ଖସି ପଡ଼ିଲା ଶାଣିତ ଛୁରୀଖଣ୍ଡି । ମି: ଚୌଧୁରୀ ହସୁ ହସୁ ଘର ଭିତରକୁ ପାଦ ବଢ଼ାଇ କହିଲେ–‘‘ସାବାସ୍‌ ଅବନୀବାବୁ ! ମାନସପୁରୀରେ ତୁମେ ଠିକ୍‌ ଭୂତ ଛଡ଼ା ବ୍ୟବସ୍ଥା କରିଛ ।’’ ତାଙ୍କ ସାଇଲେନସ୍‌ର ଲଗା ରିଭଲଭରରୁ ସେ ପର୍ଯ୍ୟନ୍ତ ଧୂମ ନିର୍ଗତ ହେଉଥିଲା ।

 

ଅବନୀକାନ୍ତଙ୍କର ସେତେବେଳର ଅବସ୍ଥା ଯାହା, ତାହା ବର୍ଣ୍ଣନା କରିବା ଦୁଃସାଧ୍ୟ । ଅଗତ୍ୟା ଭଲ ପିଲାଟି ପରି ନିଜକୁ ପୋଲିସ୍‌ ନିକଟରେ ଉତ୍ସର୍ଗ କରିବା ଛଡ଼ା ଉପାୟ ନ ଥିଲା । ସାଙ୍ଗରେ ଥିବା ଦୁଇଜଣ ସାଥି ଓ ରାମଶରଣ ମଧ୍ୟ ହାତରେ ଲୌହ କଙ୍କଣ ପିନ୍ଧି ପୋଲିସ୍‌ ପହରାରେ ରହିଲେ । ମିସେସ୍‌ ପାତ୍ରଙ୍କ ନିକଟରେ କେତେଜଣ ପୋଲିସ୍‌ ଜଗାଇ ଅବଶିଷ୍ଟ ଦଳଟାକୁ ଧରି ମି: ଚୌଧୁରୀ ଚାଲିଲେ ଆଗକୁ ରଘୁନନ୍ଦନ ଉଦ୍ଦେଶ୍ୟରେ ।

 

ମିସେସ୍‌ ପାତ୍ରଙ୍କର ଶୟନ କକ୍ଷ ନିକଟରେ ପହଞ୍ଚି ମି: ଚୌଧୁରୀ ଦେଖିଲେ ଘରଟା ଖୋଲା ଅଛି । ଭିତରୁ କେବଳ କବାଟ ଆଉଜା ହୋଇଛି । ପିସ୍ତଲଟା ବାଗେଇ ଧରି ଖୁବ୍‌ ଧୀରେ ଧୀରେ କବାଟ ଖୋଲି ଭିତରକୁ ପାଦ ବଢ଼ାଇଲେ ସେ । ଘର ଭିତରଟା ଶୂନ୍‌ ଶାନ୍‌ । ପକେଟରୁ ଟର୍ଚ୍ଚ କାଢ଼ି ପକାଇ ଦେଖିଲେ ଭିତରେ କେହି ନାହିଁ । ହଠାତ୍‌ ତାଙ୍କ ଦୃଷ୍ଟି ପଡ଼ିଲା କାନ୍ଥ ଉପରେ । କାନ୍ଥ ଦେହରୁ ଗୋଟାଏ ଗୁପ୍ତ ଦରଜା ଖୋଲି ଯାଇଛି । ସେଇ ଦରଜା ପାଖରେ ଠିଆ ହେଲେ ସେ-। ଆଲୁଅ ପକାଇ ଦେଖିଲେ ଛୋଟ ଛୋଟ ପାହାଚ ଲମ୍ବି ଯାଇଚି ତଳକୁ । ମି: ଚୌଧୁରୀ ମହା ସମସ୍ୟାରେ ପଡ଼ିଲେ । ‘‘କ’ଣ କରାଯାଇପାରେ ବର୍ତ୍ତମାନ ! ଭିତରକୁ ଯିବା ଆଦୌ ନିରାପଦ ନୁହେଁ । କାରଣ ରଘୁନନ୍ଦନ ପରି ବଳବାନ ଆଉ ନୃଶଂସ ଦସ୍ୟୁର ମୁଖାମୁଖି ହେବା ଆଦୌ ବୁଦ୍ଧିମାନର କାମ ନୁହେଁ । ତେବେ ତା’ର ଫେରିବା ପର୍ଯ୍ୟନ୍ତ ଭିତରର ଗାଢ଼ ଅନ୍ଧାର ଭିତରେ ଲୁଚି ରହିଲେ ମି: ଚୌଧୁରୀ; ଦ୍ୱାର ପାଖରେ ପୋଲିସ୍‌ କେତେଜଣ ମଧ୍ୟ ।

 

ପ୍ରାୟ ତିନି ଚାରି ମିନିଟ୍‌ ପରେ କାନ୍ଥର ଭିତରପଟୁ ଖୁବ୍‌ ଧୀର ଅଥଚ ଓଜନିଆ ପାଦ ଶବ୍ଦ ଶୁଭିଲା । ଉତ୍କୀର୍ଣ୍ଣ ହୋଇ ମି: ଚୌଧୁରୀ ରିଭଲଭର୍‌ ବାଗେଇ ଧରିଲେ । ଶବ୍ଦ କ୍ରମେ ସ୍ପଷ୍ଟରୁ ସ୍ପଷ୍ଟତର ହେଉଥାଏ । ଶବ୍ଦଟା କ୍ରମେ ପାଖକୁ ପାଖ ହୋଇ କୋଠରୀ ଭିତରେ ଶୁଣାଗଲା । ଗୋଟାଏ ହାତରେ ରିଭଲଭର୍‌ ବାଗେଇ ଧରି ଆର ହାତରେ ଟର୍ଚ୍ଚ ଜଳାଇ ମି: ଚୌଧୁରୀ ଦେଖିଲେ, ଆଗରେ ତାଙ୍କର ଧନୀକ-ତ୍ରାସ ଦସ୍ୟୁ ରଘୁନନ୍ଦନ । କାନ୍ଧରେ ତା’ର ପ୍ରକାଣ୍ଡ ବସ୍ତାଟାଏ-। ଆଲୁଅ ପଡ଼ିଲା ମାତ୍ରେ ରଘୁନନ୍ଦନ ଚମକି ପଡ଼ିଲା ଯେମିତି । ବିଦ୍ୟୁତ୍‌ ବେଗରେ ଝଣ୍‌ କରି କଚାଡ଼ି ଦେଲା ବସ୍ତାଟା; ଦୀର୍ଘ, ବଳିଷ୍ଟ ଦେହଟା ତା’ର ଫୁଲି ଉଠୁଥାଏ ଯେପରି । ମୁହଁର ଦାଢ଼ି, ମୁଣ୍ଡର କେଶଗୁଡ଼ା ହୋଇଥାଏ ବିକ୍ଷିପ୍ତ । ଦେହ ସାରା ଝାଳ ସରସର । ମୋଟ ଉପରେ ଚେହେରାଟା ତା’ର ହୋଇଥାଏ ଠିକ୍‌ ଗୋଟାଏ ହିଂସ୍ର ଜନ୍ତୁ ପରି ।

 

‘‘ଧୈର୍ଯ୍ୟ ଧର ରଘୁନନ୍ଦନ ! ସବୁ ପ୍ରକାର ଚେଷ୍ଟାର ରାସ୍ତା ମୁଁ ବନ୍ଦ କରି ଦେଇଛି ତୁମ ପାଇଁ । ମାନସପୁରୀରେ ଭୂତ କାଢ଼ିବାକୁ ଉପଯୁକ୍ତ ଗୁଣିଆ ତୁମେ । ତେବେ ଉପଦ୍ରବ ତ ଗୋଟିଏ ଭୂତର ନୁହେଁ, ଏକାଧିକ !’’

 

ମି: ଚୌଧୁରୀଙ୍କ କଥା ପ୍ରତି ରଘୁନନ୍ଦନର ଲକ୍ଷ୍ୟ ଥିଲା କି ନାହିଁ କିଏ ଜାଣେ ? ତା’ର ଆଖି ଖୋଜି ବୁଲୁଥିଲା ଖୋଲା ଦ୍ୱାର । କିନ୍ତୁ ସେ ଦ୍ୱାରରେ କେତୋଟି ସଙ୍ଗୀନର ତୀକ୍ଷ୍‌ଣ ମୁନ ତୃଷିତ ଦୃଷ୍ଟିରେ ଅନାଇ ରହିଥିଲେ ଭିତରକୁ ।

 

ଇଙ୍ଗିତ ମାତ୍ରେ ବିଖ୍ୟାତ ଦସ୍ୟୁ ରଘୁନନ୍ଦନ ହାତରେ, ଗୋଡ଼ରେ ଲୌହ ଶୃଙ୍ଖଳ ପିନ୍ଧାଇ ଦିଆଗଲା । ତା’ ପିଠିରେ ରିଭଲଭର୍‌ର ଅଗ୍ରଭାଗ ସ୍ପର୍ଶ କରି ଟିକିଏ ଠେଲି ଦେଇ କହିଲେ ମି: ଚୌଧୁରୀ—‘‘ଚାଲନ୍ତୁ ଦେବୀଗଡ଼ର ରାଜକୁମାର ବାହାଦୂର ସିଂ ! ଆପଣଙ୍କର ସାଥିମାନେ ଅପେକ୍ଷା କରିଛନ୍ତି ଆର କୋଠରୀରେ ।’’

 

ଦସ୍ୟୁ ରଘୁନନ୍ଦନର ଆଉ କିଛି ଉପାୟ ନଥିଲା ।

 

X X X

 

ରାତି ଦଶ–

 

ଏଣେ ମାନସପୁରୀରେ ଭୂତର ଆବିର୍ଭାବ ଅଭିନୟରେ ଶେଷ ହେବା ସଙ୍ଗେ ସଙ୍ଗେ ତେଣେ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କ ହାତରେ ଲୌହ ବଳୟ ପିନ୍ଧାଇଦେଇଥିଲେ ପୋଲିସ ଏସ୍‌.ପି । ଆଉ କେତେଜଣ ନାମଜାଦା ଦସ୍ୟୁ ରାୟବାହାଦୂରଙ୍କ ଅନୁଗାମୀ ହୋଇଥିଲେ-। ତାଙ୍କର ପ୍ରାସାଦର ଗୋଟାଏ ଅପରିଷ୍କାର ଗୋଦାମ ଘରୁ ମୁମୁର୍ଷୁ ଅବସ୍ଥାରେ ମିଷ୍ଟର ପାତ୍ରଙ୍କୁ ଉଦ୍ଧାର କରାଯାଇଥିଲା । ତା’ ସଙ୍ଗେ ବହୁ ଟଙ୍କା ମୂଲ୍ୟର ଚୋରା ଅଫିମ, କୋକେନ୍‌, ଅନେକ ଦରକାରୀ ଓ ଗୁପ୍ତ ଚିଠି ପତ୍ର ମଧ୍ୟ ଜବଦ୍‌ କରାଯାଇଥିଲା ।

 

ତେଣେ ପ୍ରଶାନ୍ତ ମହାସାଗର ବକ୍ଷରେ ପୋଲିସ କମିଶନର କେତେଖଣ୍ଡି ଶକ୍ତିଶାଳୀ ମୋଟର ଲଞ୍ଚ ଦ୍ୱାରା ଚୀନ୍‌ ଦେଶୀୟ ଗୋଟାଏ ଜାହାଜକୁ ଘେରାଉ କରି କଡ଼ା ପୋଲିସ ପହରାରେ ତାହାକୁ ଖାନ୍‌ତଲାସ କରୁଥିଲେ । ସେଥିରୁ ଭାରତରୁ ଡକାୟତୀ ଓ ଲୁଣ୍ଠନ-ଲୁବ୍‌ଧ ଚୋରା ଚାଲାଣ ହେଉଥିବା ପ୍ରାୟ ପନ୍ଦର ମହଣ ସୁନା ଓ ବହୁ ମୂଲ୍ୟବାନ ଜହରତ୍‌ ଉଦ୍ଧାର କରାଯାଉଥିଲା । କେବଳ ଉକ୍ତ ଜାହାଜରୁ ବିଖ୍ୟାତ ଚୀନା ଦସ୍ୟୁ ଚିୟାଂ ଅତଳ ସମୁଦ୍ରରେ ଡେଇଁପଡ଼ି କୁଆଡ଼େ ଯେ ଗଲା, ବହୁ ଅନୁସନ୍ଧାନ ସତ୍ୱେ କେହି ତା’ର ପତ୍ତା ପାଇଲେ ନାହିଁ ।

 

X X X

 

ସକାଳ ହେଲାବେଳକୁ ସଶସ୍ତ୍ର ପୋଲିସ ବାହିନୀର କଡ଼ା ପହରା ଭିତରେ ସହରର ରାସ୍ତା ଉପରେ ଚାଲିଥିଲେ ବିଖ୍ୟାତ ଦସ୍ୟୁ ରଘୁନନ୍ଦନ ସିଂ, ରାୟବାହାଦୂର ହରନାଥ ପଟ୍ଟନାୟକ, ଶିଳ୍ପପୁରୀର ମ୍ୟାନେଜର ଅବନୀକାନ୍ତ ପଟ୍ଟନାୟକ, ଆଉ ତାଙ୍କର ପ୍ରିୟ ସାଥିଗଣ, ହାତରେ ଲୌହ ଶୃଙ୍ଖଳ ପିନ୍ଧି, ପ୍ରତ୍ୟେକ ପ୍ରତ୍ୟେକ ସହିତ ଛନ୍ଦା ହୋଇ ।

 

ସହରର ଆବାଳବୃଦ୍ଧବନିତା ଚାହିଁଥିଲେ ଏ ଭଦ୍ରମୁଖାଧାରୀ ନରରାକ୍ଷସ ଦଳଙ୍କୁ, ଅବାକ୍‌ ହୋଇ ।

Image